Categories: ଜାତୀୟ

୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !

କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ ଘୋଷିତ କରି ଦେଉଛନ୍ତି। ଏହାର ସଦସ୍ୟତମ ଘଟଣା କାନପୁରର କଲୋନେଲଗଞ୍ଜ୍‌ରେ ଘଟିଛି। ଜଣେ ବ୍ୟକ୍ତିଙ୍କୁ କବର ଦିଆଯିବାର ୨ ଦିନ ପରେ ସେ ଘରକୁୁ ଫେରିଛନ୍ତି। ବ୍ୟକ୍ତି ଜଣକ ମୃତ ଘୋଷଣା କରାଯାଇଥିବା ଅହମଦ୍‌ ହାସନ୍‌ ବୋଲି ରବିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨ ଦିନ ତଳେ କାହାକୁ କବର ଦିଆଯାଇଥିଲା ସେ ନେଇ ପୋଲିସ ବିଭାଗର ବୁଦ୍ଧି ହଜିଯାଇଛି। ଅଗଷ୍ଟ ୨ରେ ସ୍ତ୍ରୀ ନଗ୍‌ମାଙ୍କ ସହିତ ପାଟିତୁଣ୍ଡ କରି ହାସନ ଘରୁ ପଳାଇ ଯାଇଥିଲେ। ସେ ନିଖୋଜ ହେବା ସମ୍ପର୍କରେ ପରିବାର ପକ୍ଷରୁ ଚାକେରି ଥାନାରେ ଏତଲା ଦାଏର କରାଯାଇଥିଲା। ଅଗଷ୍ଟ ୫ରେ ପୋଲିସକୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏନେଇ ପୋଲିସ ପକ୍ଷରୁ ହାସନଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଥିଲା। ମୃତଦେହ କ୍ଷତବିକ୍ଷତ ଥିବାରୁ ପରିବାର ଲୋକେ ତାହା ହାସନଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ ତାଙ୍କୁ କବର ଦିଆଯାଇଥିଲା। ତେବେ ଅଗଷ୍ଟ ୭ରେ ହାସନ ହଠାତ୍‌ ଘରକୁ ଫେରିଥିଲେ। ତାଙ୍କୁ ଦେଖି ଘରେ ଲାଗି ରହିଥିବା କାନ୍ଦବୋବାଳି ବନ୍ଦ ହୋଇଯାଇଥିଲା। ସ୍ତ୍ରୀ ନଗ୍‌ମା ହାସନଙ୍କୁ ଧରି ପୋଲିସ ଥାନାରେ ପହଞ୍ଚିଥିଲେ। ହାସନଙ୍କୁ ଦେଖି ଥାନା ବାବୁଙ୍କ ଅକଲଗୁଡୁମ୍‌ ହୋଇଯାଇଥିଲା। କବର ଦିଆଯାଇଥିବା ବ୍ୟକ୍ତି ଜଣକ କିଏ ସେ ନେଇ ତଦନ୍ତ ଜାରି ରହିଥିବା କାନପୁର ଏସ୍‌ପି ପ୍ରୀତିନ୍ଦର ସିଂ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସ ବାବୁମାନେ କାମଚଳା ତଦନ୍ତ କରୁଥିବାରୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି।

Share