Categories: ଜାତୀୟ

ଗୋଟିଏ ମିଶନ ପାଇଁ ୩୦ ଲୋକଙ୍କୁ ୨ ଦିନ

ଥାଣେ,୧୬।୨: ମହାରାଷ୍ଟ୍ରର ଥାଣେ ଜିଲାରେ ଏକ ଚିତାବାଘର ମୁଣ୍ଡ ଏକ ପ୍ଲାଷ୍ଟିକ୍‌ ପାଣି କ୍ୟାନରେ ଫଶି ଯାଇଥିଲା। ପଶୁ କଲ୍ୟାଣ ଗୋଷ୍ଠୀଠାରୁ ଆରମ୍ଭ କରି ଜଙ୍ଗଲ ଅଧିକାରୀ, ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀଙ୍କୁ ମିଶାଇ ପ୍ରାୟ ୩୦ ଜଣଙ୍କ ସହଯୋଗ କ୍ରମେ ଚିତାବାଘର ଜୀବନ ବଞ୍ଚି ପାରିଛି। ଏହି ଉଦ୍ଧାର କାର୍ଯ୍ୟରେ ପ୍ରାୟ ୪୮ ଘଣ୍ଟା ଲାଗିଥିଲା।

ଅଧିକାରୀଙ୍କ ଅନୁଯାୟୀ, ମୁଣ୍ଡରେ ପ୍ଲାଷ୍ଟିକ୍‌ କଣ୍ଟେନର ପସିଥିବାରୁ ଦୁଇ ଦିନ ହେଲା କିଛି ଖାଇ ପି’ ପାରି ନ ଥିଲା। ଚିକିତ୍ସା ପାଇଁ ଚିତାବାଘକୁ ସଞ୍ଜୟ ଗାନ୍ଧୀ ନ୍ୟାଶନାଲ ପାର୍କ (ଏସ୍‌ଜିଏନ୍‌ପି) ରେସ୍କ୍ୟୁ ସେଣ୍ଟର ନିଆଯାଇଛି।

ମଙ୍ଗଳବାର ରାତି ପ୍ରାୟ ୭ଟା ବେଳେ ବାଦଲାପୁର ଗାଁ ପାଖରେ ଚିତାବାଘକୁ ପ୍ରଥମେ ଦେଖିବାକୁ ମିଳିଥିଲା। କିନ୍ତୁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ବାଘ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଏହାପରେ ବାଦଲପୁର, କଲ୍ୟାଣ ଓ ମୁର୍ବାଦ ଅଞ୍ଚଳରେ ଜଙ୍ଗଲ ବିଭାଗ ଅଧିକାରୀ, ଏସ୍‌ଜିଏନ୍‌ପି ପ୍ରତିନିଧୀଙ୍କ ସହ ମିଶି ସ୍ଥାନୀୟ ଲୋକେ ଜଙ୍ଗଲରେ ଚିତାବାଘକୁ ଖୋଜାଖୋଜି କରିଥିଲେ। ତାକୁ ଠାବ କରାଯିବା ପରେ ଟ୍ରାଙ୍କୁଲାଇଜ କରାଯାଇ ତା’ ମୁଣ୍ଡରୁ ପ୍ଲାଷ୍ଟିକ କଣ୍ଟେନର ବାହାର କରାଯାଇଥିଲା।

Share