କୋଭିଡ୍‌ ହସ୍ପିଟାଲରେ ଜନ୍ମ ନେଲେ ଦୁଇ ଶିଶୁ

ରାଉରକେଲା ଅଫିସ,୮।୭-ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଆଡମିଟ ଥିବା ୨ଜଣ କରୋନା ଆକ୍ରାନ୍ତ ମହିଳା ସୁରକ୍ଷିତ ଭାବେ ଏକ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁଧବାର ଜିଲାପାଳ ନିଖିଲ ପୱନ କଲ୍ୟାଣ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ଷ୍ଟିଲ ସିଟିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସେକ୍ଟର- ୧୬ ଅଞ୍ଚଳର ସୁପର ସ୍ପ୍ରେଡର ଅଟୋ ଡ୍ରାଇଭର (ମୃତ)ଙ୍କ ଯୋଗୁ ଶତାଧିକ ଆକ୍ରାନ୍ତ ହୋଇଥିବାରୁ ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଛି। ବୁଧବାର ସୁନ୍ଦରଗଡ଼ ଜିଲାରେ ୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସନ୍ତୀ କଲୋନୀ ଓ ଗୋଲଘର ଅଞ୍ଚଳର ନିର୍ଦ୍ଦିଷ୍ଟ କେତେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏମିତି ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଯାତାୟତ କରୁଥିବା ରୋଗୀଙ୍କ ଉପରେ କଟକଣା ଜାରି କରାଯାଇଛି। ପରିଚୟ ପତ୍ର ସହ ଜରୁରି ଅବସ୍ଥାରେ ଜଣେ କି ଦୁଇ ଜଣଙ୍କୁ ଭିତରକୁ ଛଡାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।