ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ହିଞ୍ଜୋଳକୁଦା ପଞ୍ଚାୟତ ତାକରଡ଼ା ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ମାମୁ ଘରକୁ ବୁଲି ଆସିଥିବା ୨ ଶିଶୁକନ୍ୟା ପାଇଖାନା ଟାଙ୍କିରେ ପଡ଼ି ମୃତ୍ୟୁ ଘଟିଛି। ସିଦ୍ଧପୁର ଗ୍ରାମର କୁନା ସେଠୀଙ୍କ ୬ ବର୍ଷର ଝିଅ ଦିବ୍ୟା ସେଠୀ ଓ କଳିଅଘୋଡ଼ା ଗ୍ରାମର ମଣ୍ଟୁ ସେଠୀଙ୍କ ୫ ବର୍ଷର ଝିଅ ଯଶମତୀ ଉଭୟ ନିଜ ନିଜ ମାମୁଘର ଗାଁର ମାଟଳା ସେଠୀ ଓ ପଡ଼ୋଶୀ ପ୍ରଫୁଲ୍ଲ ସେଠୀଙ୍କ ଘରକୁ ଆସିଥିଲେ। ସକାଳେ ଉଭୟ ଶିଶୁକନ୍ୟା ବାଡ଼ିପଟେ ଥିବା ପାଇଖାନା ଟାଙ୍କି ଉପରେ ଖେଳୁଥିବା ବେଳେ ଟାଙ୍କି ଉପର ପ୍ଲେଟ୍‌ଟି ଅଚାନକ ଭାଙ୍ଗିପଡ଼ିଥିଲା। ଫଳରେ ଉଭୟେ ଟାଙ୍କି ଭିତରେ ପଡ଼ିଯାଇଥିଲେ। କିଛି ସମୟ ପରେ ଅଜା,ଆଈ ସେମାନଙ୍କୁ ଖୋଜି ବା ପରେ ଉକ୍ତ ଟାଙ୍କି ଭିତରୁ ସେମାନଙ୍କୁ ଉଦ୍ଧାର କରି ସୋରଡ଼ା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ଗଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।