ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ

ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍‌ ପାଲ୍‌ ଘଡ଼ାରେ ସଞ୍ଚୟ କରିଥିବା ୩୮୫ ଟଙ୍କା ଦାନ କରିଛନ୍ତି। ନିଜ ପକେଟ ମନିରୁ ସେ ସଞ୍ଚୟ କରିଥିବା ଟଙ୍କା ଦାନ କରିଛନ୍ତି। ସେହିପରି ପ୍ରୟାଗରାଜର ୧୦ ବର୍ଷ ବୟସ୍କା ଅନୁଶ୍ରୀ ସାହୁ ନିଜର ପକେଟ ମନି ଦାନ କରିଛନ୍ତି। ସେ ମନ୍ଦିର ନିର୍ମାଣ ପାଇଁ ଘଡ଼ାରେ ରଖିଥିବା ଖୁଚୁରା ଟଙ୍କା ତାଙ୍କ ଘରକୁ ଚାନ୍ଦା ମାଗିବାକୁ ଆସିଥିବା ଅଧିକାରୀଙ୍କୁ ଦେଇଛନ୍ତି। ପ୍ରଥମେ ଅଧିକାରୀମାନେ ଏହା ନେବାକୁ ଅମଙ୍ଗ ହୋଇଥିଲେ। ମାତ୍ର ଅନୁଶ୍ରୀ ଜିଦ୍‌ ଧରିବାରୁ ସେମାନେ ଦାନ ଗ୍ରହଣ କରିଥିଲେ। ତେବେ ଅନୁଶ୍ରୀଙ୍କ ଘଡ଼ାକୁ ଭଙ୍ଗା ଯାଇ ନାହିଁ। ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହାକୁ ଭଙ୍ଗା ଯିବ ବୋଲି କୁହାଯାଉଛି।

Share