ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରପାତ ଘଟି ପାପସରା କିସାନ ସାହିର ଦୁଇ ଜଣ ଯୁବ ଚାଷୀଙ୍କର ମୃତ୍ୟୁ ହୋଇଛି l ସେମାନେ ସଞ୍ଜୟ ସାହୁ (୨୫) ଓ ତାଙ୍କ ଦାଦାଙ୍କ ପୁଅ ଆର୍ତ୍ତ ବେହେରା (୨୩) l ଉଭୟଙ୍କର ମୃତଦେହ ମଙ୍ଗଳବାର ହଣ୍ଡପା ପୋଲିସ ଜବତ କରି ବ୍ୟବଛେଦ ପାଇ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି l ଏ ନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି l
ଘଟଣାରୁ ଜଣାପଡିଛି ଯେ, ଉଭୟଙ୍କର ଜଟିଆ ସାହି ନିକଟରେ ଥିବା ଜମିରେ ଧାନ ଚାଷ ପାଇ ହଳ ଧରା ଯାଉଥିଲା l କେତେ ଜମି ହଳ ଧରାଯାଇଛି ଉକ୍ତ ଦୁଇ ଭାଇ ସୋମବାର ଅପରାହ୍ନ ୫ଟାରେ ତାଙ୍କ ଘରୁ ରୁଗୁଡ଼ିସାହି ଜମିକୁ ଦେଖିବାକୁ ଯାଇଥିଲେ। ହେଲେ ସୋମବାର ଅପରାହ୍ନ ୫.୩୦ରେ ବଜ୍ରପାତ ଘଟିଥିଲା l ଦୁଇ ଭାଇ ବଜ୍ରପାତ ଦେଖି ବିଲ ନିକଟରେ ଥିବା ଏକ ମହୁଲ ଗଛ ତଳେ ବସି ପଡ଼ିଥିଲେ l ପରେ ବଜ୍ରପାତ ଯୋଗୁ ଉଭୟଘଙ୍କ ଜୀବନ ଯାଇଥିଲା। ସେମାନେ ସୋମବାର ଘରକୁ ନ ଫେରିବାରୁ ମଙ୍ଗଳବାର ଗ୍ରାମବାସୀ ଓ ସେମାନଙ୍କର ସମ୍ପର୍କୀୟ, ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଉକ୍ତ ମହୁଲ ଗଛ ତଳେ ସେମାନଙ୍କର ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ l ଖବର ପାଇ ହଣ୍ଡପା ଆଇଆଇସି ରାଜେଶ ଶତପଥି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ତୁରନ୍ତ ସେମାନଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇ ବିଜେଡି ନେତା ଭାଗିରଥି ପ୍ରଧାନ ଦାବି କରିଛନ୍ତି।