ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

ରାଞ୍ଚି,୨୭ା୧୧: ଝାଡ଼ଖଣ୍ଡର ଗୁମଲା ଜିଲାରେ ଦୁଇ ଯାଆଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ କେନ୍ଦ୍ର କରି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଆମ୍ବୁଲାନ୍ସ ଚାଳକ ଶିବ ଶଙ୍କର ସାହୁ ଏବଂ ତାଙ୍କ ଭାଇ ନବୀନ ସାହୁ। ସେମାନେ ସୋମବାର ନିଜ ନିଜ ସ୍ତ୍ରୀ ଯଥାକ୍ରମେ ମିନି ପ୍ରିୟା (୨୮) ଏବଂ ରାଧିକା କୁମାରୀ (୨୦)ଙ୍କୁ ହତ୍ୟା କରିଥିଲେ।

ଗୁମଲା ପୋଲିସ ଅଧୀକ୍ଷକ ହାରିସ ବିନ ଜମାଙ୍କ ସୂଚନା ଅନୁଯାୟୀ, ହତ୍ୟା କରିବା ପରେ ଦୁଇ ଭାଇ ମୃତଦେହ ଦ୍ୱୟକୁ ଏକ ଆମ୍ବୁଲାନ୍ସ ଯୋଗେ ପଡ଼ୋଶୀ ସିମଡେଗା ଜିଲାର ଏକ ଜଙ୍ଗଲକୁ ନେଇ ସେଠାରେ ପୋତି ଦେଇଥିଲେ। ଦୁଇ ଦିନ ପୂର୍ବରୁ ଉଭୟ ମହିଳାଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଥିଲେ ସୁଦ୍ଧା, ପୂର୍ବ ବିବାଦକୁ ନେଇ ମନରେ ଥିବା କ୍ରୋଧ କାରଣରୁ ଅଭିଯୁକ୍ତମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ କହିଛି।

ଏସ୍‌ପି ପିଟିଆଇକୁ କହିଛନ୍ତି ଯେ, ମଙ୍ଗଳବାର ସକାଳେ ଦୁଇ ଭାଇ ପ୍ରଥମେ ପୋଲିସ ଆଗରେ ମିଛ ବୟାନ ଦେଇଥିଲେ ଯେ, ସେମାନଙ୍କ ସ୍ତ୍ରୀମାନେ କାହାକୁ କିଛି ନ ଜଣାଇ ଘରୁ ଚାଲିଯାଇଛନ୍ତି। ତେବେ ପୋଲିସର କ୍ରମାଗତ ଓ କଡ଼ା ପଚରାଉଚରା ପରେ ସେମାନେ ଭାଙ୍ଗି ପଡ଼ିଥିଲେ ଏବଂ ହତ୍ୟା କରିଥିବା କଥା ସ୍ବୀକାର କରିଥିଲେ। ସୂଚନା ମୁତାବକ, ସୋମବାର ସକାଳେ ସମ୍ପର୍କୀୟମାନେ ଉଭୟ ମହିଳାଙ୍କ ସହ କଥା ହୋଇଥିଲେ ଏବଂ ସେତେବେଳେ ସବୁକିଛି ସ୍ବାଭାବିକ ଥିଲା।

ଅଭିଯୁକ୍ତମାନଙ୍କ ସୂଚନା ଆଧାରରେ ପୋଲିସ ପୋତା ଯାଇଥିବା ସ୍ଥାନରୁ ଉଭୟ ମୃତଦେହକୁ ମାଟି ଖୋଳି ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଏକ କୁରାଢ଼ି ଏବଂ ମୃତଦେହ ପରିବହନ ପାଇଁ ବ୍ୟବହୃତ ଆମ୍ବୁଲାନ୍ସକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅଭିଯୁକ୍ତ ଦୁଇ ଭାଇଙ୍କ ବାପା ସମେଶ୍ୱର ସାହୁ ଏବଂ ମା’ ତିଲେଶ୍ୱରୀ ଦେବୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

Dharitri – Odisha’s No.1 Odia Daily

Share