ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି ଶେଷ ହେବା ପରେ ମ୍ୟାଚ୍ରେ ବ୍ୟବହୃତ ବଲ୍କୁ ଦୁଇ ଭାଗରେ କାଟି ଦିଆଯାଇଥିଲା। ଗୋଟିଏ ଭାଗ ଓଲି ରବିନସନ୍ଙ୍କୁ ଏବଂ ଅନ୍ୟ ଭାଗ ଜୋଶ ଟଙ୍ଗ୍ଙ୍କୁ ଦିଆଯାଇଥିଲା।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍ ହରାଇ ୧୧୨ ରନ୍ କରିଛି । ଅର୍ଥାତ୍ ପାକିସ୍ତାନର ପ୍ରଥମ ପାଳିର ସ୍କୋରଠାରୁ ଇଂଲଣ୍ଡ ମାତ୍ର ୫୯ ରନ୍ ପଛରେ ରହିଛି । ଏହା ପୂର୍ବରୁ ପାକିସ୍ତାନ ମାତ୍ର ୧୭୧ ରନ୍ରେ ଅଲଆଉଟ୍ ହୋଇଥିଲା। କ୍ରିକେଟ୍ରେ ଜଣେ ବୋଲର ଗୋଟିଏ ଇନିଂସ୍ରେ ୫ଟି ୱିକେଟ୍ ନେଲେ, ମ୍ୟାଚ୍ରେ ବ୍ୟବହୃତ ବଲ୍କୁ ସ୍ମୃତି ଭାବେ ସାଙ୍ଗରେ ନେବାର ଏକ ପରମ୍ପରା ରହିଛି । ହେଡିଂଲିରେ ଇଂଲଣ୍ଡର ଓଲି ରବିନସନ୍ ଓ ଜୋଶ ଟଙ୍ଗ୍ ଉଭୟେ ପାକିସ୍ତାନ ବିପକ୍ଷରେ ୫-୫ ୱିକେଟ୍ ନେଇଥିଲେ।
ତେଣୁ ଉଭୟ ବୋଲରଙ୍କୁ ବଲ୍ର ଅଧା ଅଧା ଦେବା ପାଇଁ ଗ୍ରାଉଣ୍ଡ ଷ୍ଟାଫ୍ ବଲ୍ଟିକୁ ସମାନ ଦୁଇ ଭାଗରେ କାଟିଥିଲେ । ଜୋଶ ଟଙ୍ଗ୍ କହିଛନ୍ତି ଯେ, ରବିନସନ୍ ତାଙ୍କୁ ବଲ୍କୁ ଦୁଇ ଭାଗ କରି ବାଣ୍ଟିବାର ପ୍ରସ୍ତାବ ଦେଇଥିଲେ। ଏହା ତାଙ୍କ ପାଇଁ ମଧ୍ୟ ଏକ ନୂଆ ଅନୁଭୂତି ବୋଲି ସେ କହିଛନ୍ତି। ଇଂଲଣ୍ଡର ଟେଷ୍ଟ ଇତିହାସରେ ପ୍ରାୟ ୨୦ ବର୍ଷ ପରେ ଗୋଟିଏ ଇନିଂସ୍ରେ ଦୁଇ ବୋଲର ୫-୫ ୱିକେଟ୍ ନେଇଛନ୍ତି। ଶେଷଥର ୨୦୦୬ ମସିହାରେ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଏଭଳି ଘଟିଥିଲା। ସେତେବେଳେ ଷ୍ଟିଭ୍ ହାର୍ମିସନ୍ ଓ ମଣ୍ଟି ପାନେସର ୫-୫ ୱିକେଟ୍ ନେଇଥିଲେ । ତେବେ ସେହି ମ୍ୟାଚ୍ରେ ବଲ୍କୁ କାଟି ଦୁଇ ଭାଗ କରାଯାଇନଥିଲା।
ପାକିସ୍ତାନ ପକ୍ଷରୁ ଅବଦୁଲ୍ଲା ଶଫିକ୍ ସର୍ବାଧିକ ୬୧ ରନ୍ କରିଥିବାବେଳେ ଇମାମ-ଉଲ୍-ହକ୍ ୪୨ ରନ୍ କରିଥିଲେ । ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ୍ ଖେଳିପାରିନଥିଲେ ଏବଂ ଦଳ ୧୭୧ ରନ୍ରେ ସୀମିତ ହୋଇଯାଇଥିଲା।ରବିନସନ୍ ମ୍ୟାଚ୍ର ପ୍ରଥମ ବଲ୍ରେ ହିଁ ପାକିସ୍ତାନର ଅଜାନ୍ ଅୱେସ୍ଙ୍କୁ ଆଉଟ୍ କରିଥିଲେ। ଏହା ସହିତ ସେ ଟେଷ୍ଟ ମ୍ୟାଚ୍ର ପ୍ରଥମ ବଲ୍ରେ ପାକିସ୍ତାନୀ ବ୍ୟାଟରଙ୍କୁ ଆଉଟ୍ କରିଥିବା ଦ୍ୱିତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କେବଳ କପିଲ ଦେବ ଏହି କାରନାମା କରିଥିଲେ।