ସାତକୋଶିଆକୁ ଆସିଲା ୨ ବୋଟ୍‌, ଜେଟି

ବନ୍ତଳା, ୪ା୮(ଡି.ଏନ.ଏ.)

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଛି ୧୦ ସିଟ୍‌ ବିଶିଷ୍ଟ ୨ଟି ନୂଆ ବୋଟ୍‌ ଓ ଜେଟି। ଏହାର ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାଯାଇଛି। ଏହି ବୋଟ୍‌ ପାଟ୍ରୋଲିଂ କାମରେ ଲାଗିବ। ସେଥିରୁ ଗୋଟିଏ କଟରଙ୍ଗ ଘାଟ ଓ ଅନ୍ୟଟି ବଳଦମରା ଚେନଗେଟ୍‌ ନିକଟରେ ରହିବ ବୋଲି ସୂଚନା ରହିଛି।
ପ୍ରକାଶଥାଉ କି, ସାତକୋଶିଆ ଅଭୟାରଣ୍ୟକୁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ଆକ୍ରମଣରେ ୨୦୧୮ ସେପ୍ଟେମ୍ବର ୧୨ରେ ଜଣେ ଲୋକଙ୍କ ମୃତ୍ୟୁ ଅଭିଯୋଗ ପରେ ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟକ ଓ ବନବିଭାଗ ପାଇଁ ଥିବା ୭ଟି ବୋଟ୍‌କୁ ପୋଡ଼ି ଦେଇଥିଲେ। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ସହ ପାଟ୍ରୋଲିଂ ପାଇଁ ବିଭାଗକୁ ଅସୁବିଧା ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ବନ୍ୟପ୍ରାଣୀଙ୍କ ପ୍ରସ୍ତାବ କ୍ରମେ ଅଭୟାରଣ୍ୟ ପାଇଁ ୪ଟି ବୋଟ୍‌ ଅଣାଯାଇଥିଲା। ସେଥିରୁ ଗୋଟିଏ ଜିଲିଣ୍ଡା ରେଞ୍ଜକୁ ଦିଆଯାଇଥିବାବେଳେ ଆଉ ୨ଟି ପର୍ଯ୍ୟଟକ ଓ ଗୋଟିଏ ବନ ବିଭାଗର ପାଟ୍ରୋଲିଂ ପାଇଁ ବ୍ୟବହୃତ ହେଉଛି। ପରେ ସାତକୋଶିଆ ଡିଏଫଓ ଆଉ ୮ଟି ବୋଟ୍‌ ଓ ଦୁଇଟି ଜେଟି ପାଇଁ ପ୍ରସ୍ତାବ ଦେଇଥିଲେ। ସେଥିମଧ୍ୟରୁ ଏବେ ୨ଟି ବୋଟ୍‌ ଓ ଜେଟି ଅଭୟାରଣ୍ୟରେ ପହଞ୍ଚିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଘଡ଼ିଆଳ ଓ ମଗର କୁମ୍ଭୀର ଥିବା ଟିକରପଡା ପ୍ରଜନନ, ସଂରକ୍ଷଣ କେନ୍ଦ୍ରକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି। ସାତକୋଶିଆ ଡିଏଫଓ ରାମାସ୍ବାମୀ ପି. କହିଛନ୍ତି, ଏହି ଦୁଇଟି ବୋଟ୍‌ ପାଟ୍ରୋଲିଂ ପାଇଁ ବ୍ୟବହାର କରାଯିବ। କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ରକୁ ପର୍ଯ୍ୟଟକମାନେ ଯିବା ଉପରେ କଟକଣା ଲଗାଯାଇଛି।