ବିଧାନସଭାରେ ପାରିତ ହେଲା ୨ ବିଲ୍‌

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଓଡ଼ିଶା ସ୍ଥାନୀୟ ପାଣ୍ଠିରେ ହେରଫେର କରିଥିବା ଅଧିକାରୀଙ୍କୁ ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଅବଧି ଶେଷ ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଅର୍ଥ ବିଭାଗ ପକ୍ଷରୁ ଆଗତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା(ସଂଶୋଧନ) ବିଲ୍‌-୨୦୨୦ ସୋମବାର ବିଧାନସଭାର ଅନୁମୋଦନ ଲାଭ କରିଛି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍‌କୁ ବିଧାନସଭାର ଅନୁମୋଦନ ଲାଗି ଆଗତ କରିଥିଲେ। ପୂର୍ବରୁ ପ୍ରଚଳିତ ଓଡ଼ିଶା ସ୍ଥାନୀୟ ପାଣ୍ଠି ଅଧିନିୟମ ୧୯୪୮ର ଧାରା-୯କୁ ସଂଶୋଧନ କରାଯାଇଛି। ସଂଶୋଧନ ପରେ ନିୟମ ଲଲ୍ଲଂଘନକାରୀ ଅଧିକାରୀଙ୍କୁ ରେଜେଷ୍ଟ୍ରି ଡାକ କିମ୍ବା ମାନବ ସମ୍ବଳ ପରିଚାଳନା ପ୍ରଣାଳୀ(ଏଚ୍‌ଆର୍‌ଏମ୍‌ଏସ୍‌) ପୋର୍ଟାଲରେ ନୋଟିସ ଦିଆଯାଇପାରିବ। ନିୟମ ଉଲ୍ଲଂଘନକାରୀ ଅଧିକାରୀଙ୍କ ଠିକଣା ସହଜରେ ଉପଲବ୍ଧ ହେଉ ନ ଥିବାରୁ ଇଲେକ୍ଟ୍ରୋନିକ ମାଧ୍ୟମରେ ନୋଟିସ ପ୍ରଦାନ କରାଯାଇ ମାମଲାର ଫଏସଲା କରିବା ପାଇଁ ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଛି।
ସେହିପରି ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪କୁ ସଂଶୋଧନ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଆଗତ ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍‌-୨୦୨୦କୁ ସୋମବାର ବିଧାନସଭା ଅନୁମୋଦନ ମିଳିଛି। ଲୋକାୟୁକ୍ତ ଅଧ୍ୟକ୍ଷ ଏବଂ ସଦସ୍ୟମାନେ ନିଜ ପଦ ଛାଡ଼ିବା ପରେ କୌଣସି ଲାଭବାନ ପଦପଦବୀରେ ପୁନଃ ନିଯୁକ୍ତ ହୋଇପାରୁ ନ ଥିଲେ। ଏହି ସଂଶୋଧିତ ବିଲ୍‌ ଅନୁଯାୟୀ ଏଣିକି ଉକ୍ତ କଟକଣା କେବଳ ରାଜ୍ୟ ଭିତରେ ସୀମିତ ରହିବ। ଦେଶର ଅନ୍ୟାନ୍ୟ ଭାଗରେ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପୁନଃନିଯୁକ୍ତିରେ କୌଣସି କଟକଣା ରହିବ ନାହିଁ।