ଝରିଗାଁ,୨୩।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଭଟ୍ଟା ଗ୍ରାମର ମଣିଆ ଜାନୀଙ୍କ ପୁଅ ହୀରାଧାର ଜାନୀ(୧୮), ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ମିରୁ ଜାନୀ(୨୨), ଧହଡାକୋଟ ଗ୍ରାମର କାଳିଆ ଜାନୀଙ୍କ ପୁଅ ଟିବୁ ଜାନୀ(୨୨) ଏବଂ ସମ୍ବରୁ ଜାନୀଙ୍କ ପୁଅ ମଙ୍ଗଲୁ ଜାନୀ(୧୭) ଏକ ବାଇକ୍ ଯୋଗେ ପାପଡାହାଣ୍ଡି ବ୍ଲକ ଅଧୀନ ବାର୍ଲ୍ଲୀ ଗ୍ରାମକୁ ଯାଇଥିଲେ। କାମ ସାରି ଫେରିବା ବେଳେ ସା ପ୍ରାୟ ୫ଟାରେ ବଡ଼ଟେମେରା ପଞ୍ଚାୟତ ଅଧୀନ ନୂଆଗୁଡ଼ା ଗ୍ରାମ ନିକଟ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ହୀରାଧାର ଏବଂ ମିରୁ ଜାନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଟିବୁ ଜାନୀଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ମଙ୍ଗଲୁ ଜାନୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଉଭୟଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।