ଅଢ଼େଇ ବର୍ଷ ବୟସରେ ୭ଜଣଙ୍କ ଜୀବନ ବଞ୍ଚାଇଲା ଏହି ଶିଶୁ: ଖେଳିବା ବେଳେ ଛାତରୁ ଗଳି ପଡ଼ି ଯାଇଥିଲା ଜୀବନ

ସୁରଟ,୧୮।୧୨: ଅଙ୍ଗଦାନ କରି ୭ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ। ଗୁଜରାଟର ସୁରଟ ସହରରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଶିଶୁ ହେଲେ ଯଶ ଓଝା। ଡାକ୍ତରମାନେ ଯଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ପରିବାରଲୋକେ ତାଙ୍କର ହାର୍ଟ, ଫୁସଫୁସ, କିଡନୀ, ଯକୃତ ଏବଂ ଆଖି ଦାନ କରିଥିଲେ। ରୁଷିଆର ଜଣେ ପିଲାକୁ ତାଙ୍କ ହାର୍ଟ ଏବଂ ୟୁକ୍ରେନ୍‌ର ପିଲାଙ୍କୁ ଫୁସଫୁସ୍‌କୁ ଦାନ କରାଯାଇଛି।

ଯଶଙ୍କ ବାପା ସଞ୍ଜୀବ ଓଝା ପେସାରେ ଜଣେ ସାମ୍ବାଦିକ। ଡିସେମ୍ବର ୯ ତାରିଖରେ ପଡୋଶୀ ଘରେ ଖେଳୁଥିବା ବେଳେ ଦ୍ୱିତୀୟ ମହଲାରୁ ଖସି ପଡ଼ିଥିଲେ ଯଶ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସୁରଟର ଭଟାର ସ୍ଥିତ ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୧୪ରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ଏହାପରେ ଯଶଙ୍କ ବାପା ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଷ୍ଟେଟ୍‌ ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ସୋସାଇଟିର କନଭେନରଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କର ଅଙ୍ଗ ଦାନ କରାଯାଇଛି।

ବି-ପଜିଟିଭ ରକ୍ତ ଗ୍ରୁପ୍‌ର କେହି ରୋଗୀ ନ ମିଳିବାରୁ ଦୁଇଜଣ ବିଦେଶୀ ରୋଗୀଙ୍କୁ ତାଙ୍କର ହାର୍ଟ ଏବଂ ଫୁସ୍‌ଫୁସ୍‌ ଦିଆଯାଇଛି। ୧୬୦ ମିନିଟ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ଏହାଛଡ଼ା ଗୋଟିଏ କିଡନୀକୁ ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷୀୟ ବାଳିକା ଓ ଦ୍ୱିତୀୟକୁ ସୁରଟର ୧୭ ବର୍ଷର ଶିଶୁଠାରେ ଏବଂ ଭାବନଗରର ୨ ବର୍ଷୀୟ ଶିଶୁଙ୍କଠାରେ ଯକୃତ ପ୍ରତିରୋପଣ କରାଯାଇଛି। ଉଭୟ ଆଖିକୁ ଆଇବ୍ୟାଙ୍କକୁ ଦାନ କରାଯାଇଛି। ଏଭଳି ଭାବେ ୭ଜଣ ପରିବାରର ସଦସ୍ୟଙ୍କୁ ନୂଆ ଜୀବନ ମିଳିଛି।

Share