ଉପରୁ ଗଡ଼ିଗଡ଼ି ପୋଖରୀ ଭିତରକୁ ଖସିପଡ଼ିଲେ ଅଢ଼େଇ ବର୍ଷର ଶିଶୁ, ପାଣିରେ ଛକିଥିଲା…

ପାଟଣା,୧୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମାଛଗଡ଼ ପଞ୍ଚାୟତ ଅନ୍ତର୍ଗତ ବାଉଁଶନାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ହେଉଛନ୍ତି ଘନଶ୍ୟାମ ସିଦୁଙ୍କ ପୁଅ ଲକ୍ଷ୍ମଣ।
ସୂଚନା ଅନୁଯାୟୀ, ଲକ୍ଷ୍ମଣ ତାଙ୍କ ମା’ଙ୍କ ସହ ପୋଖରୀକୁ ଯାଇଥିଲେ। ମା’ ପୋଖରୀ ହୁଡ଼ାରେ ଲକ୍ଷ୍ମଣଙ୍କୁ ବସାଇ କାମ କରୁଥିବାବେଳେ ଅସାବଧାନତାବଶତଃ ସେ ପୋଖରୀ ଭିତରକୁ ଗଡ଼ିପଡ଼ି ବୁଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ରବିବାର କରଞ୍ଜିଆ ମେଡିକାଲରେ ଏସଆଇ ଲକ୍ଷ୍ମଣ ମାଝି ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ପାଟଣା ଥାନାରେ ୫୫/୨୬ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Share