ଝାରସୁଗୁଡା/ବେଲପାହାଡ,୧୨।୫(ଆଶିଷ ରଞ୍ଜନ ଦାଶ/ସୁବାସ ପ୍ରଧାନ): ବେଲପାହାଡ଼ ଥାନା ଅନ୍ତର୍ଗତ ସୁଲଦିଆ କୋଇଲା ଖଣି ଅଞ୍ଚଳରେ ଥିବା ଅଇଲାଝରନ ଜଙ୍ଗଲରେ ଆଜି ବ୍ରଜରାଜନଗର ଓ ବନହରପାଲି ଥାନା ପୋଲିସ ଦୁଇ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚାନ୍ଦ ନଛୋର୍ ଓ ସୁନିଲ ମହାନନ୍ଦଙ୍କ ଗୋଡ଼କୁ ପୋଲିସ ଗୁଳି ମାରିଥିବା ସୂଚନା ମିଳିଛି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଗତକାଲି ଏକ ସାମାନ୍ୟ ସଡ଼କ ଦୁର୍ଘଟଣାକୁ ନେଇ ବେଲପାହାଡ଼ ଥାନା ଅନ୍ତର୍ଗତ ଗାନ୍ଧୀନଗରଠାରେ ଛୁରାମାଡ଼ ହୋଇଥିଲା। ଛୁରାମାଡ଼ରେ ରାହୁଲ ମହତ୍ତୋଙ୍କ ମୃତ୍ୟୁ ହୋଇଥିବାବେଳେ ଆକାଶ ସାହୁ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଛୁରା ମାଡ଼ କରି ଚାନ୍ଦ ଓ ବାବୁ ବନଛୋର ଫେରାର ହୋଇଯାଇଥିଲେ। ପୋଲିସ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ବ୍ରଜରାଜନଗର ଓ ବନହରପାଲି ଥାନା ମଝିରେ ଥିବା କର୍ଲାଖମନ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ପୋଲିସ ଖବର ପାଇଁ ଅତର୍କିତ ଚଢାଉ କରିଥିଲା। ହେଲେ ପୋଲିସକୁ ଦେଖି ସେମାନେ ଚମ୍ପଟ ମାରୁଥିବା ସମୟରେ ଚାନ୍ଦ ଓ ତାର ସହଯୋଗୀ ସୁନିଲକୁ ପୋଲିସ ଏନକାଉଣ୍ଟର କରିଥିଲା। ଦୁଇ ଅଭିଯୁକ୍ତଙ୍କ ନାମରେ ସମ୍ବଲପୁର ଓ ବୁର୍ଲା ଥାନାରେ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି।