ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ ମାମଲା: ଅଭିଯୁକ୍ତ ୨ ଭାଇ ଗଲେ ଜେଲ

ଦିଗପହଣ୍ଡି,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ନିରାକାର ପ୍ରଧାନ ଏବଂ ହରି ପ୍ରଧାନ ଦୁଇ ଭାଇଙ୍କୁ ସୋମବାର କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୧୩୯/୨୦ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ ଜୁନ ୪ ତାରିଖ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବମକେଇ ଗ୍ରାମର ଜିପୁ ପ୍ରଧାନ ଗ୍ରାମର କଲେଜ ନିକଟ ନାଳରୁ ଶୌଚ ହୋଇ ଫେରୁଥିବା ବେଳେ ୩ ଟି ବାଇକରେ ନିରାକାର ଓ ତାଙ୍କ ଭାଇ ହରିଙ୍କ ସମେତ ଅନ୍ୟ ୪ ଜଣ ଅଚିହ୍ନା ଯୁବକ ତାଙ୍କୁ ଅଟକାଇ ଗାଳି ଗୁଲଜ କରିଥିଲେ। ଭୟଭୀତ ହୋଇ ଜିପୁ ଦୋଡିବାରୁ ୨ ଭାଇ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଜିପୁ ଘଟଣାସ୍ଥଳରୁ କୌଶଳକ୍ରମେ ତାଙ୍କ ସମ୍ପର୍କୀୟ ବାପି ପ୍ରଧାନଙ୍କ ଘରକୁ ଯାଇ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଫେରିବାପରେ ଜିପୁ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ମାଧବାନନ୍ଦ ନାୟକ ଅଭିଯୁକ୍ତ ମାନଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ୨ ଭାଇଙ ଗିରଫ ଭୟରେ ଘଟଣା ଦିନଠାରୁ ଫେରାର ଥିଲେ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ଶିଶିର ସାହାଣୀ ଜଣାଇଛନ୍ତି।