Categories: ଜାତୀୟ

ନୂଆ ଆଇଟି ନିୟମ ମାନୁନାହିଁ ଟୁଇଟର

ନୂଆଦିଲ୍ଲୀ, ୨୯।୫: ପ୍ରିଭେସିକୁ ନେଇ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଶୁକ୍ରବାର ଭିନ୍ନ ମୋଡ଼ ନେଇଛି। ଦେଶର ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ସରକାରଙ୍କ ନୂଆ ଆଇଟି ନିୟମକୁ ଅନୁପାଳନ କରିଥିବାବେଳେ ଟୁଇଟର ଏପର୍ଯ୍ୟନ୍ତ ଏହାକୁ ମାନିନାହିଁ। ନୂଆ ନିୟମ ଅନୁଯାୟୀ ଟୁଇଟର ଜଣେ ସ୍ଥାନୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି, ଯିଏକି ଗ୍ରିଭାନ୍ସ ଅଫିସର ଭାବେ କାର୍ଯ୍ୟ କରିବେ ବୋଲି ସରକାରଙ୍କୁ ଜଣାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏକ ଆଇନ ଫାର୍ମରେ କାର୍ଯ୍ୟରତ ଜଣେ ଓକିଲଙ୍କୁ ଟୁଇଟର ଏହାର ନୋଡାଲ ତଥା ଗ୍ରିଭାନ୍ସ ଅଫିସର ଭାବେ ନିଯୁକ୍ତି ଦେଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ) ରୁଲ୍ସ, ୨୦୨୧ ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ଜଣକ ଭାରତର ବାସିନ୍ଦା ଓ କମ୍ପାନୀର ଜଣେ କର୍ମଚାରୀ ହେବା ଆବଶ୍ୟକ। ତେବେ ଟୁଇଟରର ଏହି ପଦକ୍ଷେପକୁ କେନ୍ଦ୍ର ନିୟମର ସମ୍ପୂର୍ଣ୍ଣ ଅନୁପାଳନ ବୋଲି ବିଚାର କରିନାହିଁ। କାରଣ କୁ, ଶେୟାରଚାର୍ଟ, ଟେଲିଗ୍ରାମ, ଲିଙ୍କଡ୍‌ଇନ୍‌, ଗୁଗଲ, ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ଭଳି ଅଧିକାଂଶ ପ୍ଲାଟଫର୍ମ ନିଜ ନିଜ ନୋଡାଲ ଓ ଗ୍ରିଭାନ୍ସ ଅଧିକାରୀମାନଙ୍କ ଆବଶ୍ୟକ ବିବରଣୀ ଶେୟାର କରି ନିୟମ ଅନୁପାଳନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଟୁଇଟର କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।

Share