Categories: ଜାତୀୟ

ସରକାରଙ୍କ ଆଗରେ ନଇଁଲା ଟୁଇଟର୍‌

ନୂଆଦିଲ୍ଲୀ,୧୧।୭: ଭାରତ ସରକାର ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାପରି ଲାଗୁଛି। ଶେଷରେ ଟୁଇଟର ଭାରତର ନୂତନ ଆଇଟି ନିୟମକୁ ଗ୍ରହଣ କରିଛି। ବିଶେଷ କଥା ହେଉଛି ନୂତନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚେତାବନୀ ଦେବାର ମାତ୍ର ତିନି ଦିନ ପରେ ଆଇନ ଅନୁଯାୟୀ ଟୁଇଟ ଭାରତରେ ତାାର ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି। ଟୁଇଟର ବିନୟ ପ୍ରକାଶଙ୍କୁ ଭାରତ ପାଇଁ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କରିଛି। କମ୍ପାନୀର ୱେବସାଇଟରେ ଏହି ସୂଚନା ଦିଆଯାଇଛି।
ଭାରତରେ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ପାଳନ କରୁ ନ ଥିବାରୁ ଟୁଇଟର୍‌ ବିବାଦ ଘେରକୁ ଆସିଥିଲା। ନୂତନ ଆଇଟି ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ସୋସିଆଲ ମିଡିଆ କମ୍ପାନୀଗୁଡିକ ମୁଖ୍ୟ ନିୟନ୍ତ୍ରଣ ଅଧିକାରୀ, ନୋଡାଲ ଅଫିସର ଏବଂ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବେ। ଏହି ତିନୋଟି ଅଧିକାରୀ ନିଶ୍ଚିତ ଭାବରେ ଭାରତର ବାସିନ୍ଦା ହେବା ଆବଶ୍ୟକ। ଟୁଇଟର୍‌ ୱେବସାଇଟରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ ବିନୟ ପ୍ରକାଶ ହେଉଛନ୍ତି କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ (ଆରଜିଓ)। ୱେବସାଇଟ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କ ସହିତ ଯୋଗାଯୋଗ କରିପାରିବେ। ୪ର୍ଥ ମହଲା, ଦି ଇଷ୍ଟେଟ, ୧୨୧ ଡିକେନ୍ସନ ରୋଡ, ବେଙ୍ଗାଲୁରୁ -୫୬୦୦୪୨ ଠିକଣା ମଧ୍ୟମରେ ମଧ୍ୟ ସମ୍ପର୍କ କରାଯାଇପାରିବ।

Share