Categories: ଖେଳ

କ୍ରମାଗତ ନବମ ବିଜୟ ସହ ରେକର୍ଡ ସୃଷ୍ଟି କଲା ଭାରତ

ବେଙ୍ଗାଲୁରୁ,୧୨।୧୧: ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ତଥା ୪୫ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ୧୬୦ ରନ୍‌ ବ୍ୟବଧାନରେ ବିଜୟ ହାସଲ କରିଛି।

ଫଳରେ ଟିମ୍‌ ଇଣ୍ଡିଆ ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ ଖେଳି ୯ଟିରେ ଅପରାଜୟ ରହିବା ସହ ୧୮ ପଏଣ୍ଟ ପାଇ ଟେବୁଲରେ ଶୀର୍ଷସ୍ଥାନ ବଜାୟ ରଖିଛି। ଭାରତ ବିଶ୍ବକପ୍‌ରେ କ୍ରମାଗତ ନବମ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ଅନ୍ୟପକ୍ଷେ ଭାରତ ନଭେମ୍ବର ୧୫ରେ ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ଖେଳିବ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟାସ ଆୟାର ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଶତକୀୟ ଇନିଂସ ଏବଂ ଅଧିନାୟକ ରୋହିତ ଶର୍ମା, ଶୁବମନ୍‌ ଗିଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଲ୍‌ରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ୍‌ ହରାଇ ୪୧୦ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୭. ୫ ଓଭରରେ ୨୫୦ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା।

Share