ଗଜପତିଙ୍କର ସାମ୍ରାଜ୍ୟ ବିଜୟ ସ୍ମାରକୀ ଥିଲା ଅ୧୮ଙ୍କ କାର୍ତ୍ତିକ ଶୁକ୍ଳ ଦଶମୀ। ପଞ୍ଚୁକ ଦିନ। ସେହିଦିନ ଭୁବନେଶ୍ୱର ରାଜଗୁରୁ, ନରସିଂହପୁରର ଆନନ୍ଦ ରଥ ପହଞ୍ଚତ୍ଥିଲେ କୋଣାର୍କରେ। ଗଜପତିଙ୍କ ଆଦେଶରେ ସେମାନେ କୋଣାର୍କରେ ପହଞ୍ଚତ୍ ଯଜ୍ଞ ମଣ୍ଡପର ମାପ ଦେଲେ ବାସ୍ତୁଶାସ୍ତ୍ର ଅନୁସାରେ।
ବନ୍ଦାପନା ମଣ୍ଡପର ପୂର୍ବ ଦିଗକୁ ୪ଟି ଯଜ୍ଞ ପାଇଁ ଗର୍ଭାଧାନଶାଳା, ସ୍ନାନଶାଳା ଓ ନ୍ୟାସ ଶାଳାର ମାପ ଦେଲେ। ବନ୍ଦାପନା ମଣ୍ଡପର ପଶ୍ଚିମଦିଗକୁ ମାପଦେଲେ। ବାଳିଶାଳା ଓ ଦକ୍ଷିଣପଟକୁ ‘ଯଜମାନଶାଳା’ର ମାପ ଦେଲେ। ପୀଢ଼ଚାଳଶାଳାର ମାପ ଦେଲେ ଅରୁଣସ୍ତମ୍ଭର ଦକ୍ଷିଣକୁ। ରୋଷଶାଳାର ଦୁଇଟି କୋଠରିକୁ ‘ଚାରୁଶାଳା’ କରାଯିବାକୁ ସ୍ଥିର ହେଲା। ଏହିପରି ୧୪ଟି ଯଜ୍ଞଶାଳା କରାଯାଇଥିଲା।
୧- ଗର୍ଭାଧାନଶାଳା, ୨- ସ୍ନାନଶାଳା, ୩- ନ୍ୟାସଶାଳା, ୪- ପୁରୋଡ଼ାସଶାଳା, ୫- ଅଙ୍କୁରାରୋପଣଶାଳା, ୬- ବଳିଶାଳା, ୭- ଯଜମାନଶାଳା , ୮- ପୀଢ଼ଚାଳ ଯଜ୍ଞଶାଳା, ୯- ଚାରୁଶାଳା, ୧୦-୧୩: ଚାରିଦ୍ୱାରରେ ୪ଟି ଶାଳା, ୧୪- ନିଶାତଳେ ଛୋଟ ଯଜ୍ଞଶାଳା।
ଦ୍ୱାଦଶ ଆଦିତ୍ୟଙ୍କ ପାଇଁ ବାରଯୋଡ଼ା ସିଲ୍କ ଲୁଗା ବରାଦ ହୋଇଥିଲା। ସେହିଦିନ ହାତୀ ପିଠିରେ ଗୋଟିଏ ସିନ୍ଦୁକ ଷୋହଳ ଯୋଡ଼ା ଉତ୍ତରୀୟ ମହାଦେବୀ ପଠାଇଥିଲେ। ସିନ୍ଦୁକ ଖୋଲାଗଲା ଅଧିକାରୀମାନଙ୍କ ଉପସ୍ଥିତିରେ। ସିନ୍ଦୁକରେ କ’ଣ କ’ଣ ଆସିଥିଲା ଏଠାରେ ଆମେ ଉଲ୍ଲେଖ କରୁଅଛୁ। ମହାଦେବୀ ଯଜ୍ଞ ଅନୁଷ୍ଠାନ ପାଇଁ କେତେ ସଜାଗ ଥିଲେ ଏବଂ ବହୁ ପୂର୍ବରୁ ଏସବୁ ଜିନିଷ ସଂଗ୍ରହ କରିଥିଲେ, ତାହା ଜାଣିହେବ। ୧) ୨୫ ଯୋଡ଼ା ପଗଡ଼ି ଥିଲା ସିନ୍ଦୁକରେ। ୨୫ଜଣ ନିରୀକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଭାବରେ ବରାଦ ଦିଆଯାଇ ପ୍ରସ୍ତୁତ ହୋଇଥିଲା। ୨) ୨୩୭ଟି ସୂତା ଧୋତି ଯୋଡ଼-ଅନୁଷ୍ଠାନ ପାଇଁ ୨୩୭ ଜଣ ଶିଳ୍ପୀ ବରଣ ହୋଇଥିଲେ। ୩) ୨୨୬ଟି ଗାମୁଛା- ସମୁଦାୟ ପୂଜା କାମରେ ବ୍ୟବହାର ପାଇଁ, ୪) ୨୮ଟି ପିତ୍ତଳ ଗରା- ଚଉଦଟି ମଣ୍ଡପରେ ବ୍ୟବହାର ପାଇଁ। ୫) ୫ଟି ଦୀପରୁଖା। ୬) ସହସ୍ର ଧାରା ସ୍ନାନପାତ୍ର ଗୋଟିଏ। ୭) ଛୋଟ ପ୍ରଭା ଦୁଇଟି, ଯେଉଁଥିରେ ବିଗ୍ରହ ବିଜେ କରନ୍ତି। ୮) ପୂଜାପାତ୍ର ସଜ- ପାଞ୍ଚୋଟି। ୯) ପଦ୍ମଝରି ଚାରୋଟି। ଏହି ଝରିର ମୁହଁଟି ପଦ୍ମ ଆକୃତିର ଯେଉଁ ବାଟଦେଇ ଝରିରୁ ଜଳ ବାହାରେ। ୧୦) ଠିଆ ଦର୍ପଣ ଛଅଟି।
ଏତିକି ଆବଶ୍ୟକୀୟ ସଜ ମହାଦେବୀ ସଂଗ୍ରହ କରି ସିନ୍ଦୁକରେ ପଠାଇଦେବା ବଡ଼ କଥା ନୁହେଁ। ଏଥିପ୍ରତି ତାଙ୍କର ଅନୁରାଗ ଓ କର୍ତ୍ତବ୍ୟକୁ ବିଚାର କରିବା କଥା। ମହାରାଜା ମନ୍ଦିରଟିଏ ନିର୍ମାଣ କରାଉଛନ୍ତି, ସେଥିପାଇଁ ଯେଉଁ ଯଜ୍ଞ ଅନୁଷ୍ଠାନ ହେବ ସେ ବିଷୟରେ ଅବଗତ ହୋଇ ସଂଗ୍ରହ କରି ପଠାଇବା ଏକ ସକାରାତ୍ମକ ପ୍ରେରଣା। ଆଡ଼େଇ ହୋଇ ଚୁପ୍ଚାପ୍ ରହିଯାଇଥିଲେ, କେହି ଆଙ୍ଗୁଠି ଦେଖାଇବାକୁ ନ ଥିଲେ, ତଥାପି ମାନସିକ ପ୍ରସ୍ତୁତିକୁ ଲକ୍ଷ୍ୟ କରିବା କଥା। ଏହି ମହାଦେବୀ ହେଉଛନ୍ତି ମହାରାଣୀ କସ୍ତୁରିକା ମୋଦିନୀ, ଯାହାଙ୍କୁ ଗଜପତିଙ୍କ ପାର୍ଷଦମାନେ ‘ରାଜମାତା’ ବୋଲି ସମ୍ବୋଧନ କରୁଥିଲେ। ପୂର୍ବରୁ ସୂଚନା ଦେଇଥିଲୁ ମହାଦେବୀ ହେଉଛନ୍ତି ମଦୁରାଇ ମହାରାଜାଙ୍କ କନ୍ୟା।
ବାସୁ ବଢ଼େଇ ଶ୍ରୁବ, ଶ୍ରୁଚ ଓ ପ୍ରଣିତା ଆଣି ଯୋଗାଇବା ଦିବସ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ସେହିଦିନ ୨୮ଜଣ ଶିଳ୍ପୀ ସ୍ନାନ ପରେ ଭଣ୍ଡାରଘରକୁ ଆସି ହାତଯୋଡ଼ି ପ୍ରଥମ ‘ହରିବୋଲ’ ଧ୍ୱନି ଦେଇଥିଲେ। ଚଳଚଞ୍ଚଳ ହୋଇଗଲା ବାତାବରଣ। ସମସ୍ତ ପୂଜା ଉପକରଣକୁ ନାଲି ସିଲ୍କ କନାରେ ଗୁଡ଼ାଇ ସୂତ୍ରଧର ଶିବେଇ ସାମନ୍ତରାଙ୍କ ଶିବିର ସାମନାରେ ରଖି ‘ଶାଙ୍ଗି’ (ବାହାଙ୍ଗି)ରେ ଲଦି ଗର୍ଭାଧାନଶାଳାରେ ପହଞ୍ଚାଇଥିଲେ। ସେଇଠି ପଡ଼ିଥିଲା ଦ୍ୱିତୀୟ ହରିବୋଲ। ସେଣେ ସାତଜଣ ପଥୁରିଆ ବାର ଭରଣ ଧାନରେ (ଭରଣକ ୪୦ ଗୌଣି)ରେ ବିଜେ ପ୍ରତିମାଙ୍କୁ ବିଜେ କରି ଚାରିପଟ କନାରେ ଆବଦ୍ଧ କରି ହରିବୋଲ ପକାଇ ଶାଳା ନିକଟରେ ପହଞ୍ଚାଇଥିଲେ। ଏହା ଥିଲା ତୃତୀୟ ହରିବୋଲ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣ ମୂଳରୁ ଶେଷ ପର୍ଯ୍ୟନ୍ତ ଭୋଇ ସେବକ ନଅ ହରିବୋଲ ପକାଇଥାନ୍ତି। ଦ୍ୱାଦଶ ଆଦିତ୍ୟଙ୍କ ଅନୁଷ୍ଠାନବେଳେ ପଡ଼ିଥିଲା ଦ୍ୱାଦଶ ହରିବୋଲ। ଆଗକୁ ଦେଖିବା ହରିବୋଲର ରହସ୍ୟ ଓ ପରମ୍ପରା।
ଡ. ସୁରେନ୍ଦ୍ର କୁମାର ମିଶ୍ର

