ଧରାପଡ଼ିଲେ ୧୨ ଜାଲ୍‌ ଶିକ୍ଷକ

କେନ୍ଦୁଝର, ୩ା୯(ସ୍ବ.ପ୍ର.):ବାହାର ରାଜ୍ୟ ବିଶ୍ୱବିଦ୍ୟାଳୟରୁ ଜାଲ୍‌ ବିଏଡ୍‌ ପ୍ରମାଣପତ୍ର ଆଣି କେନ୍ଦୁଝର ଜିଲା ଅନ୍ତର୍ଗତ ୮ ଟି ବ୍ଲକରେ ଶିକ୍ଷକ ଚାକିରି କରୁଥିବା ୧୨ ଚୁକ୍ତିଭିତ୍ତିକ ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ୭ଦିନ ମଧ୍ୟରେ ଥାନାରେ ଏତଲା ଦେବାକୁ ଜିଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଲ୍‌ ସାର୍ଟିଫିକେଟରେ ଚାକିରି କରୁଥିବା ଜଣାପଡ଼ିବା ପରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାକୁ ନେଇ ସମ୍ପୃକ୍ତ ଶିକ୍ଷକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଉକ୍ତ ଶିକ୍ଷକମାନଙ୍କ ବିଏଡ୍‌ ପ୍ରମାଣପତ୍ର ଯାଞ୍ଚ ପାଇଁ ଶିକ୍ଷା ବିଭାଗ ସମ୍ପୃକ୍ତ ବିଶ୍ୱ ବିଦ୍ୟାଳୟଗୁଡ଼ିକୁ ଚିଠି କରିଥିଲା। ପରେ ବିଭାଗ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।