୭୫ ବର୍ଷ ବୟସରେ ବିଧାୟକଙ୍କ ପରଲୋକ, ରାଜ୍ୟରେ ଶୋକ

ଚେନ୍ନାଇ,୧୯ା୧୧: ତାମିଲନାଡୁର ରାଜନୀତିରୁ ଆସିଛି ଦୁଃଖଦ ଖବର । ଟିଭିକେ (TVK) ବିଧାୟକ ଭି.ଏସ୍‌. ବାବୁଙ୍କର ଗୁରୁବାର ପରଲୋକ ହୋଇଛି । ଚେନ୍ନାଇସ୍ଥିତ MGM ହେଲ୍‌ଥକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଅପରାହ୍ନ ୨ଟା ୨୪ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନ୍‌ରେ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

ଦୀର୍ଘଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବା ବାବୁଙ୍କୁ ସେପ୍ଟେମ୍ବର ୯ ତାରିଖରେ ଚେନ୍ନାଇର ଅମିଞ୍ଜିକରାଇସ୍ଥିତ MGM ହେଲ୍‌ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହସ୍ପିଟାଲର ଆଇସିୟୁରେ ରହି ଚିକିତ୍ସାଧୀନ ଥିଲେ । ଡାକ୍ତରୀ ଦଳଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଶେଷରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା ଏବଂ ଅପରାହ୍ନ ୨ଟା ୨୪ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଭି.ଏସ୍‌. ବାବୁ ଚେନ୍ନାଇର କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏହି ଆସନରେ ସେ ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ୮,୭୯୫ ଭୋଟ୍‌ରେ ପରାସ୍ତ କରିଥିଲେ। ବାବୁ ୮୨,୯୯୭ ଭୋଟ୍‌ ପାଇଥିବା ବେଳେ ଷ୍ଟାଲିନ୍‌ଙ୍କୁ ମିଳିଥିଲା ୭୪,୨୦୨ ଭୋଟ୍‌। ୨୦୧୧ରୁ ଲଗାତାର ଏହି ଆସନରୁ ଜିତି ଆସୁଥିବା ଷ୍ଟାଲିନ୍‌ଙ୍କ ପରାଜୟ ତାମିଲନାଡୁ ରାଜନୀତିରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା।

ଭି.ଏସ୍‌. ବାବୁ ତାମିଲନାଡୁ ରାଜନୀତିର ଜଣେ ଅଭିଜ୍ଞ ନେତା ଥିଲେ। ସେ ପ୍ରଥମେ ଡିଏମ୍‌କେରେ ଥିଲେ। ୨୦୦୬ ମସିହାରେ ଡିଏମ୍‌କେ ଟିକେଟ୍‌ରେ ପୁରସାଇୱାଲକମ୍‌ ଆସନରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ। ପରେ ଡିଏମ୍‌କେ ଛାଡ଼ି AIADMKରେ ଯୋଗ ଦେଇଥିଲେ । ୨୦୨୬ ଫେବୃଆରୀ ୭ ତାରିଖରେ ସେ ଅଭିନେତା ବିଜୟଙ୍କ ଦଳ ଟିଭିକେରେ ସାମିଲ ହୋଇଥିଲେ। ଏହାପରେ ଟିଭିକେ ତାଙ୍କୁ କୋଲାଥୁର ଆସନରୁ ପ୍ରାର୍ଥୀ କରିଥିଲା। ତାଙ୍କ ବିୟୋଗରେ ତାମିଲନାଡୁ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

 

Dharitri – Odisha’s No.1 Odia Daily

Share