Categories: ଜାତୀୟ

କରୋନା ନେଲା ଲୋକପ୍ରିୟ ନ୍ୟୁଜ୍‌ ଆଙ୍କରଙ୍କ ଜୀବନ

ନୂଆଦିଲ୍ଲୀ,୩୦।୪: ପ୍ରସିଦ୍ଧ ନ୍ୟୁଜ ଆଙ୍କର୍‌ ରୋହିତ ସରଦାନାଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେବ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ରୋହିତ ନିକଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ନିଜେ କରୋନା ସହ ଲଢୁଥିବାବେଳେ ଶେଷ ପର୍ଯ୍ୟନ୍ତ ସେ ଲୋକଙ୍କ ପାଇଁ ଟୁଇଟର୍‌ରେ ସାହାଯ୍ୟ ମାଗୁଥିଲେ। ଗୁରୁବାର ସକାଳ ୮.୪୧ରେ ଶେଷ ଟୁଇଟ୍‌ କରିଥିଲେ। ତାଙ୍କ ମୃତ୍ୟୁରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ଟିଭି ମିଡିଆର ମୁଖ ହୋଇଆସୁଥିବା ରୋହିତ ‘ଆଜତକ’ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଦଙ୍ଗଲ’ ଶୋ’କୁ ହୋଷ୍ଟ କରୁଥିଲେ। ୨୦୧୮ରେ ରୋହିତଙ୍କୁ ଗଣେଶ ଶଙ୍କର ବିଦ୍ୟାଧର ପୁରସ୍କାର ପ୍ରଦାନ କରାଯାଇଥିଲା। ବରିଷ୍ଠ ଖବରଦାତା ରାଜଦୀପ ସରଦେଶାଇ ମଧ୍ୟ ରୋହିତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଟୁଇଟ୍‌ରରେ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି, ବନ୍ଧୁଗଣ, ଏହା ଅତ୍ୟନ୍ତ ଦୁଃଖଦ ଖବର। ପ୍ରସିଦ୍ଧ ଟିଭି ନ୍ୟୁଜ ଆଙ୍କର୍‌ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ତାଙ୍କର ହୃଦଘାତ ହୋଇଛି। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା। ସୂୂଚନାଯୋଗ୍ୟ, କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଥିଲେ।

Share