ଡାଇନୋସର ଯୁଗୀୟ କାର୍‌ ଆକୃତିର କଇଁଛ

ମାଡ୍ରିଡ୍‌, ୧୯।୧୧: ସ୍ପେନ୍‌ରେ ଜୀବାଶ୍ମ ବିଜ୍ଞାନୀମାନେ କ୍ଷୁଦ୍ର କାର୍‌ ଆକାରର କଇଁଛର ଅବଶେଷ ଖୋଜି ବାହାର କରିଛନ୍ତି। କଇଁଛଟି ୮୩ ନିୟୁତ ବର୍ଷ ପୂର୍ବେ ୟୁରୋପୀୟ ସମୁଦ୍ରର ଅତଳ ଜଳରାଶିରେ ବାସ କରୁଥିବା ଜଣାପଡ଼ିଛି। ଉତ୍ତରପୂର୍ବ ସ୍ପେନ୍‌ରେ ଏହି ବିଶାଳକାୟ କଇଁଛର ଅବଶେଷ ମିଳଛି। ଏହାର ନାମ ଲେଭିଆଥାନୋଚେଲିସ୍‌ ଏଇନିଗମାଟିକା। କଇଁଛର ଲମ୍ବ ୧୨ ଫୁଟ ଏବଂ ଓଜନ ପାଖାପାଖି ୨ ଟନ୍‌ ହେବ ବୋଲି ଜୀବାଶ୍ମ ବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏହାକୁ ୟୁରୋପର ସବୁଠୁ ବିଶାଳ ସାମୁଦ୍ରିକ କଇଁଛ ବୋଲି କୁହାଯାଉଛି। ପୁରାତନ କାଳର ସବୁଠୁ ବଡ଼ ସାମୁଦ୍ରିକ କଇଁଛ ଆର୍ଚେଲୋନ୍‌ର ଆକାରଠାରୁ ଏହା ଛୋଟ । ଶାରୀରିକ ଗଠନରେ ଅନ୍ୟ ସାମୁଦ୍ରିକ କଇଁଛଠାରୁ ଏହା ଭିନ୍ନ। ଏହା ପୂର୍ବରୁ ବହୁ ବିରାଟକାୟ ସାମୁଦ୍ରିକ କଇଁଛର ଜୀବାଶ୍ମ ବିଜ୍ଞାନୀଙ୍କ ହସ୍ତଗତ ହୋଇଥିଲା। ୮୫ ନିୟୁତ ବର୍ଷ ପୁରୁଣା ପ୍ରୋଟୋଷ୍ଟେଗା ସାମୁଦ୍ରିକ କଇଁଛ ଉତ୍ତର ଆମେରିକାରୁ ମିଳିଥିବାବେଳେ ଏହାର ଲମ୍ବ ୧୩ ଫୁଟ ଥିଲା।
କାଳର ଟେଥିସ୍‌ ସମୁଦ୍ରରେ ଲେଭିଆଥାନୋଚେଲିସ୍‌ ବାସ କରୁଥିବା ଜୀବାଶ୍ମ ବିଜ୍ଞାନୀ ଆଲବର୍ଟ ସେଲେସ୍‌ କହିଛନ୍ତି। ଟେଥିସ୍‌ରେ ଏହି ସାମୁଦ୍ରିକ କଇଁଛ ବିରାଟ ସାର୍କ ଓ ବହୁ ବଡ଼ ଜୀବ, ଯାହାଙ୍କ ଲମ୍ବ ୫୦ ଫୁଟ ସେମାନଙ୍କ ସହ ବାସ କରୁଥିବା ଜଣାପଡ଼ିଛି। ପ୍ରାୟ ୮୩ ନିୟୁତ ବର୍ଷ ପୂର୍ବେ ସମୁଦ୍ରରେ ସାର୍କ ଓ ମୋସାସରସ୍‌ ହିଁ ଦୁଇ ବଡ଼ ଜୀବ ଥିଲେ ଯେଉଁମାନେ ସମୁଦ୍ରରେ ବାସ କରୁଥିବା ଅନ୍ୟ ବଡ଼ ଜୀବଙ୍କ ଶିକାର କରିବାକୁ ସକ୍ଷମ ଥିଲେ। ତେବେ ଏହି ସାମୁଦ୍ରିକ କଇଁଛ ଡାଇନୋସରଙ୍କ ଯୁଗର ବୋଲି କୁହାଯାଉଛି। ଲେଭିଆଥାନୋଚେଲିସ୍‌ର ମିଳିଥିବା ଜୀବାଶ୍ମ ଦ୍ୱାରା ବହୁ ନୂଆ ତଥ୍ୟ ଜାଣିବାକୁ ମିଳିବ ବୋଲି ମିକେଲ କ୍ରୁସାଫ୍ରଣ୍ଟ କାଟାଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପାଲେଣ୍ଟୋଲୋଜିର ରିସର୍ଚ୍ଚର ଓସ୍କାର କାଷ୍ଟିଲୋ ଆଶାବାଦୀ।

Share