ଋଷିକୂଲ୍ୟା ମୁହାଣରେ କଇଁଛଙ୍କ ମିଳନ ପର୍ବ ଆରମ୍ଭ

ଗଞ୍ଜାମ,୧୩ା୧୨(ବିଦ୍ୟାଧର ସାହୁ): ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବିଳମ୍ବ ହୋଇଥିବା ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି। ବୁଧବାର ରମ୍ଭା ଫରେଷ୍ଟର ରତନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ୍‌ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସମୁଦ୍ରକୂଳଠାରୁ ୫କିମି ପରିଧି ମଧ୍ୟରେ ଦଳ ଦଳ କଇଁଛଙ୍କ ମିଳନ ଚାଲିଥିବା ଦେଖିବାକୁ ପାଇଥିଲେ। ଏହି ମିଳନ ପ୍ରକ୍ରିୟା ଜାନୁୟାରୀ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ସମୁଦ୍ରରେ ଘଣ୍ଟା ଘଣ୍ଟା ଧରି ମିଳନ ଦେଖାଦେବ। ସମୁଦ୍ର ଉପକୂଳରେ ଦକ୍ଷିଣା ପବନ ବୋହିଲେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ବନ ବିଭାଗ। କଇଁଛଙ୍କ ମିଳନ ପ୍ରକ୍ରିୟାରେ ବାଧା ନ ଉପୁଜିବା ଲାଗି ଉତ୍ତର ଦିଗରେ ଥିବା ପ୍ରୟାଗୀ ଓ ଦକ୍ଷିଣ ଦିଗରେ ଥିବା ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ସମୁଦ୍ର ଅଞ୍ଚଳକୁ ବନ ବିଭାଗ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଥିସହ ଗଣ ଅଣ୍ଡାଦାନ ସମୟରେ କଇଁଛମାନଙ୍କ ଉପଯୁକ୍ତ ସୁରକ୍ଷା ପାଇଁ ବେଳାଭୂମିରେ ବନ ବିଭାଗ ତରଫରୁ ବ୍ୟାରିକେଟ୍‌ ନିର୍ମାଣ କରାଯାଇଛି। ତାମିଲନାଡୁ ଓ ଆନ୍ଧ୍ରାରୁ ଟ୍ରଲରଗୁଡ଼ିକ ମାଛ ମରିବାକୁ ଅବାଧରେ ସମୁଦ୍ର ମଧ୍ୟକୁ ପଶି ଯାଉଥିବା ହେତୁ ବନ ବିଭାଗର ଦୁଇଟି ଟ୍ରଲର ପାଟ୍ରୋଲିଂ କରାଯାଉଥିବା ସହ ସ୍ଥାନୀୟ ବେଳାଭୂମିଠାରେ କୋଷ୍ଟଗାର୍ଡ ନିୟୋଜିତ କରାଯାଇଥିବା ରେଞ୍ଜର ରତନ ବେହେରା ସୂଚନା ଦେଇଛନ୍ତି। ଆସନ୍ତା ଜାନୁୟାରୀ ଶେଷ ସପ୍ତାହ କିମ୍ବା ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପରିବେଶବିତ୍‌ମାନେ ପୂର୍ବାନୁମାନ କରିଛନ୍ତି। କଇଁଛମାନଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଫରେଷ୍ଟ ଗାର୍ଡ ଶିବରାମ ଟୁଡୁ ସୂଚନା ଦେଇଛନ୍ତି।