Categories: ଜାତୀୟ

ଗ୍ରାମରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ

ଜୟପୁର,୧୫।୮: ରାଜସ୍ଥାନର ଜଲୋର ଜିଲା ସୁରାନା ଗ୍ରାମର ଏକ ଘରୋଇ ସ୍କୁଲର ଦଳିତ ଛାତ୍ର ଶିକ୍ଷକଙ୍କ ମାଡ଼ରେ ପ୍ରାଣ ହରାଇବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତ ଛାତ୍ରଙ୍କ ପରିବାର ସହ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଉପରକୁ ଢେଲାପଥର ମାଡ଼ କରିଥିଲେ। ସଂଘର୍ଷରେ କେତେଜଣ ଗୁରୁତର ଆହତ ହୋଇଥିବାବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ମୃତଦେହ ସଂସ୍କାର କରିବା ପାଇଁ ପୋଲିସ ଚାପ ପକାଉଥିବା ମୃତ ଛାତ୍ରଙ୍କ ବାପା ଦଓ୍ବୋରାମ ମେଘଳଓ୍ବାଲ ଅଭିଯୋଗ କରିବା ପରେ ଉତ୍ତେଜନା ମୁଣ୍ଡ ଟେକିଥିଲା।

ଜୁଲାଇ ୨୦ ତାରିଖରେ ଛାତ୍ର ଜଣକ ମାଠିଆରୁ ପାଣି ପିଇବାକୁ କେନ୍ଦ୍ର କରି ୯ ବର୍ଷର ଦଳିତ ଛାତ୍ରଙ୍କୁ ଶିକ୍ଷକ ମାଡ଼ ମାରିଥିଲେ। ଅହମ୍ମଦାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସମ୍ପୃକ୍ତ ଶିକ୍ଷକ ଚେଲ ସିଂ(୪୦)ଙ୍କୁ ପୋଲିସ ଗିରଫ କରିନେଇଥିବାବେଳେ ତାଙ୍କ ବିରୋଧରେ ଏସ୍‌ସିଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଛି।

ମାମଲାଟିକୁ ଜଲୋର ମୁଖ୍ୟ ଅଧିକାରୀ (ସିଓ)ଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ରାଜ୍ୟ ଶିକ୍ଷା ବିଭାଗ ଯାଞ୍ଚ କମିଟି ଗଠନ କରିଥିବାବେଳେ ରିପୋର୍ଟ ଦାଖଲ ପାଇଁ ବ୍ଲକ୍‌ ଶିକ୍ଷା ଅଫିସରଙ୍କୁ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦଳିତ ଛାତ୍ର ଇନ୍ଦ୍ର କୁମାରଙ୍କ ମୃତ୍ୟୁ ନେଇ ରାଜନୈତି ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଘଟଣା ନେଇ ବିଏସ୍‌ପି ରାଜ୍ୟ ସରକାରଙ୍କ ଦାୟୀ କରିବା ସହ ଦଳ ମୁଖ୍ୟ ମାୟାବତୀ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୫ ଲକ୍ଷ ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରିଛନ୍ତି।

Share