ବିଶ୍ୱ ବଜାରରେ ବିକ୍ରି ହେବ ସ୍ବାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି,୯ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଉତ୍ପାଦିତ ହଳଦୀ ଆମାଜନରେ ବିକ୍ରି ହେବ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଉର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ପ୍ରାୟ ୫ କୋଟି ଟଙ୍କାର ହଳଦୀ ପ୍ରକଳ୍ପ ହେବ । ୧୦ କୋଟି ଟଙ୍କା ବ୍ୟୟରେ କୃଷିଭିତିକ ଶିଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲାପାଳ ବିଶାଳ ସିଂ କହିଛନ୍ତି।

ଜିଲାପାଳ କହିଛନ୍ତ ଯେ, ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ଆର୍ଥତ୍କ ଉନ୍ନତି ନିମନ୍ତେ ବିଶେଷ କରି ପନିପରିବା ଚାଷ ଉପରେ ଗୁରୁତ୍ୱାରୋପ କରାଯାଉଛି। ସୁଆଁ, ଅଳସୀ, ମାଣ୍ଡିଆ ଭଳି ଅନ୍ୟାନ୍ୟ ଉତ୍ପାଦିତ ଶସ୍ୟକୁ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ସ୍ଥାପନ କରାଯିବ। ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ମିଲ୍‌ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ୫ଟି ବଡ ୟୁନିଟ ପ୍ରତିଷ୍ଠା କରାଯିବ। ତେବେ ହଳଦୀ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ହାଇବ୍ରିଡ୍‌ ହଳଦୀ ମଞ୍ଜି ଯୋଗାଇ ଦିଆଯିବ। ସମସ୍ତ ଚାଷୀ ସେତୁ ଯୋଜନାରେ ତାଲିମ ନେବେ। କନ୍ଧମାଳ ଅପେକ୍ଷା ମାଲକାନଗିରି ହଳଦୀ ଆହୁରି ଉନ୍ନତମାନର ହୋଇଥିବାରୁ ସ୍ବତନ୍ତ୍ର ପ୍ୟାକିଂ ୟୁନିଟ ପ୍ରତିଷ୍ଠା ଉପରେ ଜିଲାପାଳ ଗୁରୁତ୍ୱାରୋପ କାରିଥିଲେ। ହଳଦୀର ପ୍ରଚାରପ୍ରସାର ଇଣ୍ଟରନେଟ ମାଧ୍ୟମରେ କରାଯିବ। ଆମାଜନ କମ୍ପାନୀ ଦ୍ୱାରା ବିଶ୍ୱ ବଜାରରେ ଏହାକୁ ବିକ୍ରି କରାଗଲେ ଚାଷୀ ଲାଭବାନ ହୋଇପାରିବେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।