ବନ୍ଦ ହେବ ୫୦ ବର୍ଷ ହେଲା ଜଳୁଥିବା ନର୍କର ଦ୍ୱାର

ଅସ୍‌ଗାବତ୍‌,୧୦।୧: ସ୍ବର୍ଗ, ମର୍ତ୍ତ୍ୟ ଏବଂ ନର୍କ ବଷୟରେ ତ ଶୁଣିଥିବେ। ହେଲେ ମର୍ତ୍ତ୍ୟରେ ନର୍କର ଜାଗା ଅଛି ବୋଲି ଶୁଣିଛନ୍ତି କି? ତୁର୍କମେନିସ୍ଥାନରେ ଏକ ବଡ ଗର୍ତ୍ତ ରହିଛି। ତାକୁ ନର୍କର ଦ୍ୱାର ବୋଲି କୁହାଯାଏ। ଯାହାର ଚଉଡା ୨୩୦ ଫୁଟ ଅଟେ। କିନ୍ତୁ ଏକ ଅଜବ ଘଟଣା କି ୫୦ ବର୍ଷ ହେଲାଣି ଏହି ଗର୍ତ୍ତରେ ନିଆଁ ଜଳୁଛି। ଏହି ଗର୍ତ୍ତଟି ଅସ୍‌ଗାବତ୍‌ ସହରଠୁ ୧୬୦ ମାଇଲ ଦୂର କାରାକୁମ ମରୁଭୂମିରେ ରହିଛି। ଏହି ଗର୍ତ୍ତରୁ ବାହାରୁଥିବା ଧୂଆଁ ଯୋଗୁ ବାୟୁ ପ୍ରଦୂଷଣ ହେବା ସହ ଲୋକଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି। ଏନେଇ ତୁର୍କମେନିସ୍ଥାନର ରାଷ୍ଟ୍ରପତି ଗୁର୍ବାନଗୁଲି ବର୍ଦୀମୁହାମେଦୋବ ବିଶ୍ୱ ଏକ୍ସପର୍ଟଙ୍କୁ ଡାକି ଏହି ଗର୍ତ୍ତକୁ ବନ୍ଦ କରିବାକୁ ତାଙ୍କ ମନ୍ତ୍ରୀମାନଙ୍କୁ ଆଦେଶ ଦେଇଛନ୍ତି।

କୁହାଯାଉଛି କି ଏହି ଗର୍ତ୍ତ ଆଗରୁ ଏଠି ନ ଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସୋଭିଏତ୍‌ ସଂଘ ତେଲ ଏବଂ ପ୍ରାକୃତିକ ଗ୍ୟାସର ଆବଶ୍ୟକତା ହେତୁ ବୈଜ୍ଞାନିକମାନେ ମରୁଭୂମିରେ ଗାତ ଖୋଳି ତେଲ ଖୋଜିବାକୁ ଲାଗିଲେ। ତାଙ୍କୁ ପ୍ରକୃତିକ ଗ୍ୟାସର ସନ୍ଧାନ ମିଳିଲା। ହେଲେ ଯେଉଁ ସ୍ଥାନକୁ ଖୋଳିଥିଲେ ସେଠାର ଜାଗା ତଳକୁ ଖସିଯାଇ ବଡ ଗର୍ତ୍ତ ହେବା ସହ ସେହି ଗର୍ତ୍ତରୁ ମିଥେନ ଗ୍ୟାସ ବାହାରିବାକୁ ଲାଗିଲା। ମିଥେନ ଗ୍ୟାସ୍‌ରେ ବାୟୁମଣ୍ଡଳ ପ୍ରଦୂଷିତ ନ ହେଉ ସେ ନେଇ ସେମାନେ ନିଆଁ ଲଗାଇଦେଲେ। ଯାହାକି ୫୦ ବର୍ଷ ହେଲାଣି ଜଳୁଛି।

Share