ତୁର୍କୀରେ ପୁଣି ଏକ ଭୂକମ୍ପ

ଅଙ୍କାରା,୧୯ ।୨: ପୁଣିଥରେ ଥରିଉଠିଛି ତୁର୍କୀ । ଏଥର ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଥିଲା ୫.୨ । ୟୁରୋପୀୟ ଭୂମଧ୍ୟସାଗରୀୟ ସିସ୍ମୋଲୋଜିକାଲ ସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।
ସୂଚନାଯୋଗ୍ୟ, ଫେବୃୟାରୀ ୬ରେ ତୁର୍କୀ ଓ ସିରିଆରେ ହୋଇଥିବା ଭୂକମ୍ପରେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେସୁଦ୍ଧା ମୃତକଙ୍କ ସଂଖ୍ୟା ୪୬ ହଜାର ଅତିକ୍ରମ କରିଯାଇଥିବା କୁହାଯାଉଛି ।
ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପ ପରେ ସାରା ବିଶ୍ୱର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଛନ୍ତି । ଭଙ୍ଗା ଘର ତଳୁ ଏବେବି ମୃତଦେହ ଉଦ୍ଧାର କରାଯାଉଛି । ଏହି ଭୂକମ୍ପରେ କେବଳ ତୁର୍କୀରେ ମୃତକଙ୍କ ସଂଖ୍ୟା ୪୦,୬୪୨ ଥିବା ବେଳେ ପଡୋଶୀ ଦେଶ ସିରିଆରେ ମୃତକଙ୍କ ସଂଖ୍ୟା ୫,୮୦୦ରେ ପହଞ୍ଚିଲାଣି ।
ତୁର୍କୀ ଓ ସିରିଆରେ ୬ ଫେବୃୟାରୀରେ ଆସିଥିବା ଭୂକମ୍ପରେ ପ୍ରାୟ ୮୪ ହଜାରରୁ ଅଧିକ ଘର ଅତ୍ୟଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଅଥବା ଭୁଷୁଡି ଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ତୁର୍କୀ ଓ ସିରିଆରେ ୨୦ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଥିବା ବେଳେ ଏବେ ଆଶ୍ରୟସ୍ଥଳରେ ରହୁଛନ୍ତି । ମିଳିତ ଜାତିସଂଘ ସମେତ ଆହୁରି କିଛି ଏଜେନ୍ସି ଓ ଭାରତ ସମେତ ୭୦ରୁ ଅଧିକ ଦେଶ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି ।

Share