ତୁର୍କୀ-ସିରିଆରେ ପରିସ୍ଥିତି ଜଟିଳ, ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୪,୬୮୦ରୁ ଅଧିକ ଆହତଙ୍କ ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ୱ

ଅଙ୍କାରା/ଦାମସକସ,୧୧ ।୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପର ଯନ୍ତ୍ରଣା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଙ୍ଗା କୋଠାତଳେ କେଉଁଠି ଜୀବନ ସାହାଯ୍ୟ ଅପେକ୍ଷାରେ ରହିଛି ତ ପୁଣି କେଉଁଠି ସବୁଦିନ ପାଇଁ ନିରବି ଯାଇଛି ଅନେକ ନୀରିହ ଜୀବନ । ବାହାରେ ଏବେବି କ୍ରନ୍ଦନରତ ପ୍ରିୟ ପରିଜନ । ଯେଉଁମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ହରାଇଛନ୍ତି ନିଜର ସବୁକିଛି ସେମାନଙ୍କ କାନ୍ଦରେ ଫାଟିପଡୁଛି ସାରା ଅଞ୍ଚଳ । ସିରିଆ ଓ ତୁର୍କୀରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୪ ହଜାର ଅତିକ୍ରମ କରି ସାରିଲାଣି ।
ତୁର୍କୀ ଓ ସିରିଆରେ ଭାରତ ସମେତ ବିଶ୍ୱର କେତେକ ଦେଶ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଭଙ୍ଗାକୋଠା ତଳୁ ଏବେବି ମୃତଦେହ ବାହାର କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ତୁର୍କୀ ଓ ସିରିଆର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୪,୬୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିମଧ୍ୟରେ କେବଳ ତୁର୍କୀରେ ୨୦,୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ହଜାରରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ସେହିପରି ସିରିଆରେ ୪,୪୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୨୯୭ ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି ।

Share