Categories: ଜାତୀୟ

ଅପରେଶନ ଦୋସ୍ତ: ସହାୟତା ପାଇଁ ‘ଦୋସ୍ତ’ ଭାରତୀୟଙ୍କୁ ଧନ୍ୟବାଦ ଦେଲା ତୁର୍କୀ, ରାଷ୍ଟ୍ରଦୂତ କହିଲେ ହୃଦୟକୁ ଛୁଇଁଲା

ନୂଆଦିଲ୍ଲୀ,୨୨ ।୨: ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ସମୟରେ ଏହାକୁ ସହଯୋଗର ହାତ ବଢାଇଥିଲା ଭାରତ । ରିଲିଫ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚି ଭୂକମ୍ପ ପୀଡ଼ିତଙ୍କୁ ଉଦ୍ଧାର କରିଥିଲେ । ‘ଅପରେଶନ ଦୋସ୍ତ’ ମାଧ୍ୟମରେ ଭାରତର ଏହି ସହଯୋଗକୁ ନେଇ ନୂଆଦିଲ୍ଲୀ ସ୍ଥିତି ତୁର୍କୀ ଦୂତାବାସ ‘ଦୋସ୍ତ’ ଭାରତୀୟଙ୍କୁ ଧନ୍ୟବାଦ ଦେଇଛି । ସଙ୍କଟ ସମୟରେ ତୁର୍କୀ ସହ ଭାରତର ଏକଜୁଟତା, ଆଶୀର୍ବାଦ ଓ ଦାନକୁ ନେଇ ତୁର୍କୀ ଦୁତାବାସ ପକ୍ଷରୁ ମଙ୍ଗଳବାର ଦିଲ୍ଲୀରେ ଅନ୍ତର ଧାର୍ମିକ ପ୍ରାର୍ଥନା ଆୟୋଜିତ କରାଯିବା ସହ ଭୂକମ୍ପ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।
ଭାରତରେ ଥିବା ତୁର୍କୀର ରାଷ୍ଟ୍ରଦୂତ ଫିରାତ ସୁନେଲ କହିଛନ୍ତି, ଭାରତୀୟଙ୍କ ପକ୍ଷରୁ କରାଯାଇଥିବା ସହାୟତା ତାଙ୍କ ହୃଦୟକୁ ଛୁଇଁଛି । ମୁଁ ଏଥିରେ ଖୁବ୍ ପ୍ରଭାବିତ, ଆମେ ଏକ ଧାର୍ମିକ ପ୍ରାର୍ଥନାର ଆୟୋଜନ କରିଛୁ ଯେଉଁଥିରେ ଭାରତର ସମସ୍ତ ପ୍ରମୁଖ ଧର୍ମର ପ୍ରତିନିଧି ସାମିଲ ହୋଇଥିଲେ । ଏହା ଏକ ବହୁତ ବଡ ନୈତିକ ସମର୍ଥନ । ଭାରତୀୟଙ୍କୁ ଧନ୍ୟବାଦ ଦେଇ ସେ ଏକ ଟୁଇଟ ବି କରିଛନ୍ତି ।

Share