ତୁର୍କୀର ଷଡ଼ଯନ୍ତ୍ର: କଶ୍ମୀରକୁ ପଠାଇବ ଆତଙ୍କବାଦୀ

ଆଙ୍କାରା,୮।୧୨: ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ପାକିସ୍ତାନ ଏବେ ତୁର୍କୀ ସହିତ ହାତ ମିଳାଇଛି। କଶ୍ମୀରକୁ ଆତଙ୍କବାଦୀ ପଠାଇବା ଲାଗି ତୁର୍କୀ ପାକିସ୍ତାନ ସହିତ ମିଶି ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି। ସିରିଆର ଆତଙ୍କବାଦୀ ସଂଗଠନକୁ ଏଥିରେ ସାମିଲ କରାଯାଇଛି। ପୂର୍ବରୁ ସିରିଆ ଆତଙ୍କବାଦୀଙ୍କୁ ଲିବିୟା ଏବଂ ଅଜରବୈଜାନକୁ ପଠାଯାଇଛି। କଶ୍ମୀର ପ୍ରସଙ୍ଗ ନେଇ ତୁର୍କୀ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିବାବେଳେ ଏବେ ଏଠାରେ ଆତଙ୍କବାଦୀ କାର୍ଯ୍ୟ କଳାପ ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏସମ୍ପର୍କରେ କିଛି ଦିନ ତଳେ ତୁର୍କୀ ସମର୍ଥିତ ସୁଲେମାନ ଶାହା ବ୍ରିଗେଡ଼ ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ଇମଶା ସୂଚନା ଦେଇଥିଲେ। ସେ ନିଜ ସଂଗଠନ ସଦସ୍ୟଙ୍କୁ ଏଥି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। କଶ୍ମୀରରେ ଅଶାନ୍ତି ସୃଷ୍ଟି ଲାଗି ଅନ୍ୟ ଆତଙ୍କବାଦୀ ସଂଗଠନ ସହିତ ଆଲୋଚନା କରିବା ପାଇଁ ଇମଶାଙ୍କୁ ତୁର୍କୀ ସରକାର ନିର୍ଦ୍ଦେଶ ଦେଇଥିବା ସେ ସଦସ୍ୟଙ୍କୁ କହିଛନ୍ତି। ଏନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

Share