ଅଶାନ୍ତ ପୃଥିବୀ

କେଉଁଠି ଅଧିକାର ପାଇଁ ଲଢ଼େଇ ତ ପୁଣି କେଉଁ ଦେଶରେ କ୍ଷମତା ଲାଗି ରକ୍ତାକ୍ତ ସଂଘର୍ଷ। ପାଶ୍ଚାତ୍ୟରେ ବର୍ଣ୍ଣବୈଷମ୍ୟ ଉଗ୍ରରୂପ ଧାରଣ କରିଥିବାବେଳେ ଅନେକ ରାଷ୍ଟ୍ରରେ ଜାତିଆଣ ହିଂସା ଓ ଶରଣାର୍ଥୀ ସମସ୍ୟା ବହୁ ଲୋକଙ୍କ ଜୀବନ ନେଇଛି। ଆମେରିକା, ଚାଇନା ଓ ରୁଷିଆ ଭଳି ମହାଶକ୍ତି ଆଧିପତ୍ୟ ଜାହିର ଲାଗି ଯୁଦ୍ଧ ଉସୁକାଉଥିବାବେଳେ ଭାରତ, ପାକିସ୍ତାନ, ବୁର୍କିନା ଫାସୋ, ପେରୁ ଆଦି ରାଷ୍ଟ୍ରରେ ବିଭିନ୍ନ କାରଣରୁ ମାନବାଧିକାର ହନନର ଅସଂଖ୍ୟ ଉଦାହରଣ। ଫ୍ରାନ୍ସରେ ବିବାଦୀୟ ନିରାପତ୍ତା ଆଇନ ପ୍ରତିବାଦରେ ସ୍ବର ତେଜିଛି, ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଇଥିଓପିଆରେ ଗୃହଯୁଦ୍ଧ ସ୍ଥିତିକୁ ସଙ୍ଗିନ କରିଥିବାବେଳେ ଥାଇଲାଣ୍ଡରେ ସାମ୍ବିଧାନିକ ସଂସ୍କାର ଦାବିରେ ବିଦ୍ରୋହର ସୂତ୍ରପାତ ହୋଇଛି। କରୋନା ମହାମାରୀରେ ସାରା ବିଶ୍ୱ କବଳିତ ହୋଇ ମୁକ୍ତିର ବାଟ ଖୋଜୁଥିବା ସମୟରେ ସବୁଠି ମୁଣ୍ଡ ଟେକିଛି ବିକ୍ଷୋଭ ଓ ଆନ୍ଦୋଳନର ନିଆଁ ।

ପାର୍ଲାମେଣ୍ଟ ପୋଡ଼ି
ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ବିବାଦୀୟ ବଜେଟକୁ ନେଇ ତୁମୁଳକାଣ୍ଡ ଘଟିଛି। ସରକାର ବିରୋଧୀ ବିକ୍ଷୋଭକାରୀମାନେ ରବିବାର ପାର୍ଲାମେଣ୍ଟରେ ନିଆଁ ଲଗାଇଦେଇଛନ୍ତି। ମହାମାରୀ କରୋନା ଓ ସାମୁଦ୍ରିକ ଝଡ଼ ଯୋଗୁ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାବେଳେ ସରକାର ଏମ୍‌ପିମାନଙ୍କ ଭତ୍ତା ବୃଦ୍ଧି କରିବା ସହ ମାନବାଧିକାର କାର୍ଯ୍ୟକ୍ରମ ଓ ନ୍ୟାୟପାଳିକାର ଖର୍ଚ୍ଚ କାଟ କରିଛନ୍ତି। ଉକ୍ତ ଅର୍ଥ ବିଲ୍‌କୁ ସରକାର ଗୋପନୀୟ ଭାବେ ଗୃହୀତ କରାଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦରେ ରାଜଧାନୀ ଗୁଆଟେମାଲା ସିଟିସ୍ଥିତ ନ୍ୟାଶନାଲ ପ୍ୟାସେଲରେ ୧୦,୦୦୦ ଲୋକ ଏକତ୍ରିତ ହୋଇ ବିକ୍ଷୋଭ କରୁଥିବାବେଳେ ପୋଲିସ ସହ ମୁହଁାମୁହଁି ହୋଇଥିଲେ। ଶେଷରେ ସେମାନେ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଜିଆମାଟେଇ ଓ ଉପରାଷ୍ଟ୍ରପତି ଗୁଇଲେରୋ କାଷ୍ଟିଲୋଙ୍କ ଇସ୍ତଫା ଦାବିକରି କଂଗ୍ରେସ ବିଲ୍ଡିଂର ଏକ ଅଂଶକୁ ପୋଡ଼ିଦେଇଥିଲେ।

ବର୍ଣ୍ଣବୈଷମ୍ୟ ନିଅଁ। 
୨୦୨୦ ମେ ୨୫ରେ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କୁ ଜଣେ ଶ୍ୱେତାଙ୍ଗ ପୋଲିସ ଅଫିସର ଆଣ୍ଠୁରେ ଚାପି ହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ଫ୍ଲୟଡ୍‌ ‘ମୁଁ ନିଃଶ୍ୱାସ ନେଇପାରୁନାହିଁ’ ବୋଲି ବାରମ୍ବାର କହୁଥିଲେ। ଏହି ହତ୍ୟାକାଣ୍ଡରୁ ଆମେରିକାରେ ପୁଣିଥରେ ମୁଣ୍ଡ ଟେକିଟିଥିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ, ଯାହାକି ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ନାମରେ ବିଦିତ। କୃଷ୍ଣକାୟଙ୍କ ବିରୋଧରେ ପୋଲିସ ବର୍ବରତା ଓ ଦମନଲୀଳା ପ୍ରତିବାଦରେ ଉଠିଥିବା ସ୍ବରକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପରାଜୟର ଅନ୍ୟତମ କାରଣ ବୋଲି ଧରାଯାଉଛି। ଉପରୋକ୍ତ ଘଟଣାର ୬ ମାସ ନ ପୂରୁଣୁ ଗୁରୁବାର ବ୍ରାଜିଲରେ କୃଷ୍ଣକାୟ ଜୋଆଓ ଆଲବର୍ଟୋ ସିଲଭେରିଆ ଫ୍ରେଇଟାସ୍‌ଙ୍କୁ କାରେଫୋର୍‌ ସୁପରମାର୍କେଟ ସିକ୍ୟୁରିଟି ଗାର୍ଡମାନେ ଏକ ଷ୍ଟୋର୍‌ରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ନୃଶଂସ କାଣ୍ଡ ପରେ ଆମେରିକା ଭଳି ବ୍ରାଜିଲରେ ମଧ୍ୟ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ମୁଣ୍ଡ ଟେକିଛି। ବିଭିନ୍ନ ସ୍ଥାନରେ ହିଂସାମତ୍କ ବିକ୍ଷୋଭ ଦେଖାଦେଇଛି। ହଜାର ହଜାର ବିକ୍ଷୋଭକାରୀ ଭଙ୍ଗାରୁଜା, ପୋଡ଼ାଜଳା କରିଛନ୍ତି। ୪ ସନ୍ତାନସନ୍ତତିଙ୍କ ଜନକ ୪୦ ବର୍ଷୀୟ ଜୋଆଓଙ୍କ ଶେଷକୃତ୍ୟ ଶନିବାର ସମ୍ପନ୍ନ ହୋଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସେନା ବଳ ପ୍ରୟୋଗ କରୁଥିବାବେଳେ ମୃତକଙ୍କ ପରିବାର ନ୍ୟାୟ ମାଗୁଛନ୍ତି।

ସପ୍ତାହରେ ୩ ରାଷ୍ଟ୍ରପତି
ପେରୁରେ କ୍ଷମତାକୁ ନେଇ ରାଜନୈତିକ ଅଚଳାବସ୍ଥାରୁ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ନଭେମ୍ବର ୧୫ରେ ଗଣତନ୍ତ୍ର ସପକ୍ଷବାଦୀଙ୍କ ଶୋଭାଯାତ୍ରା ବେଳେ ପୋଲିସ ଗୁଳିରେ ୨ ଜଣ ଯୁବକଙ୍କ ପ୍ରାଣହାନି ଘଟିବା ପରେ ଅନ୍ତରୀଣ ରାଷ୍ଟ୍ରପତି ମାନ୍ବେଲ ମେରିନୋ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ୪୦ ଜଣ ନିଖୋଜ ଓ ୯୦ ଆହତ ହୋଇଥିତ୍ବା ମାନବାଧିକାର ସଙ୍ଗଠନଗୁଡ଼ିକ କହିଛନ୍ତି। ଉତ୍ତ୍ୟକ୍ତଙ୍କ ଟେକାମାଡ଼ରେ ୧୧ ପୋଲିସ କର୍ମଚାରୀ ଆହତ ହେବା ପରେ ଶତାଧିକ ଲୋକଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରାଯିବା ଉଚିତ ବୋଲି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ମୋରାଡୋ ପାର୍ଟି ସଦସ୍ୟ ଫ୍ରାନ୍ସିସ୍କୋ ସଗାସ୍ତିଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ବଛାଯାଇଛି। ସପ୍ତାହେ ମଧ୍ୟରେ ଏହି ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ତୃତୀୟ ନେତା। ଏହା ପୂର୍ବରୁ ପେରୁ କଂଗ୍ରେସ ରାଷ୍ଟ୍ରପତି ମାର୍ଟିନ ଭିଜ୍‌କାରାଙ୍କ ବିରୋଧରେ ଦୁର୍ନୀତିକୁ ନେଇ ଅନାସ୍ଥା ପ୍ରସ୍ତାବ ଆଣି ବହିଷ୍କାର କରିଥିଲା।

ପୋଲିସ ଗୁଳିରେ ୬ ନିହତ
ସମ୍ବିଧାନ ସଂସ୍କାରକୁ ନେଇ ଥାଇଲାଣ୍ଡରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ଗଣତନ୍ତ୍ର ସପକ୍ଷବାଦୀମାନେ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚନୋଚା(ପୂର୍ବତନ ସାମରିକ ଶାସକ)ଙ୍କୁ ହଟାଇବା ଓ ରାଜା ମହା ବାଜିରାଲୋଙ୍ଗ୍‌କୋର୍ନଙ୍କ କ୍ଷମତା ସଙ୍କୁଚିତ କରିବା ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ସମ୍ବିଧାନ ସଂଶୋଧନ ନେଇ ଆଲୋଚନା ପାଇଁ ଆଇନପ୍ରଣେତାମାନଙ୍କ ଉପରେ ଚାପ ପକାଇବା ଲାଗି ଥାଇ ପାର୍ଲାମେଣ୍ଟକୁ ଦଖଲ କରିଥିବାବେଳେ ପୋଲିସ ଓ ସରକାର ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ପୋଲିସ ଗୁଳିରେ ୬ ବିକ୍ଷୋଭକାରୀ ନିହତ ହୋଇଥିବାବେଳେ ୫୨ ଆହତ ହୋଇଛନ୍ତି। ଲୁହବୁହା ବାଷ୍ପ ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୩୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବ୍ୟାଙ୍କକ୍‌ର ଏରାଓ୍ବନ୍‌ ମେଡିକାଲ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି।

ବୁର୍କିନା ଫାସୋରେ ଚରମପନ୍ଥୀଙ୍କ ହିଂସା
ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ରାଷ୍ଟ୍ରପତି ନିର୍ବାଚନକୁ ବିରୋଧ କରି ଚରମପନ୍ଥୀମାନେ ବ୍ୟାପକ ହିଂସା ଘଟାଇଛନ୍ତି। ରବିବାର ନିର୍ବାଚନ ଚାଲିଥିବାବେଳେ ଦେଶକୁ ଆଉ ୫ ବର୍ଷ ସୁରକ୍ଷିତ ରଖିବା ପାଇଁ ରାଷ୍ଟ୍ରପତି ରୋଚ୍‌ ମାର୍କ ଖ୍ରୀଷ୍ଟିଆନ୍‌ କାବୋରେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ବିରୋଧରେ ୧୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ କାବୋରେଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି। ତେବେ ୧,୬୬,୦୦୦ ନୂଆ ଭୋଟରଙ୍କୁ ମତଦାନ ପାଇଁ ସୁଯୋଗ ଦିଆ ନ ଯିବାକୁ ବିରୋଧ କରି ଅଲ୍‌-କାଏଦା ଓ ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀମାନେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିସ୍ଥାପିତ କରିଛନ୍ତି। ରାଷ୍ଟ୍ରପତିଙ୍କ ବିରୋଧରେ ବିପକ୍ଷ ଦଳଗୁଡ଼ିକ ଭୋଟ ଜାଲିଆତି ଅଭିଯୋଗ ଆଣି ଅଶାନ୍ତ ସ୍ଥିତି ସୃଷ୍ଟି କରିଛନ୍ତି।

ଟ୍ରମ୍ପ୍‌-ବାଇଡେନ୍‌ ସମର୍ଥକ ମୁହଁ। ମୁହିଁ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହାରିବା ପରେ ମଧ୍ୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରୁନାହାନ୍ତି କି ଡେମୋକ୍ରାଟିକ୍‌ ନେତା ଜୋ ବାଇଡେନ୍‌ଙ୍କୁ ପଦ ଛାଡ଼ୁନାହାନ୍ତି। ଓଲଟା ଟ୍ରମ୍ପ୍‌ ନିଜ ସପକ୍ଷରେ ବିକ୍ଷୋଭ ପାଇଁ ସମର୍ଥକଙ୍କୁ ଉସୁକାଉଥିବା ଅଭିଯୋଗ ହେଉଛି। ନଭେମ୍ବର ୧୪ରେ ଟ୍ରମ୍ପ୍‌ଙ୍କ ହଜାର ହଜାର ସମର୍ଥକ ୱାଶିଂଟନ ଡିସିରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରିପବ୍ଲିକାନ୍‌ ପାର୍ଟି ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ‘ପ୍ରାଉଡ୍‌ ବଏଜ୍‌’ ଭଳି ଅତି-ଦକ୍ଷିଣପନ୍ଥୀ ସଙ୍ଗଠନର ସଦସ୍ୟ ମଧ୍ୟ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ହେଲମେଟ ଓ ବୁଲେଟ୍‌ ପ୍ରୁଫ୍‌ ଜାକେଟ ପିନ୍ଧିଥିଲେ। ବିକ୍ଷୋଭ ବେଳେ ଟ୍ରମ୍ପ୍‌ଙ୍କ ସମର୍ଥକ ଓ ବିରୋଧୀ ମୁହଁାମୁହିଁ ହୋଇ ହିଂସା ଭିଆଇଥିଲେ। ଛୁରାମାଡ଼ରେ ୨ ପୋଲିସ କର୍ମୀ ଆହତ ହେବା ପରେ ୨୦ ଜଣଙ୍କୁ ଗିରଫ କରାଯାଇଥିଲା।

ସୁରକ୍ଷା ଆଇନକୁ ବିରୋଧ
ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସରକାର ଦେଶରେ ଏକ ନୂଆ ସୁରକ୍ଷା ଆଇନ ଆଣୁଛନ୍ତି। ଉକ୍ତ ଆଇନ ବଳରେ କୌଣସି ନାଗରିକ ପୋଲିସ ଅଫିସରମାନଙ୍କ ଫଟୋ କିମ୍ବା ଭିଡିଓ ଉତ୍ତୋଳନ ଅଥବା ପ୍ରକାଶ କରିପାରିବେ ନାହିଁ। ଅନେକ କ୍ଷେତ୍ରରେ ପୋଲିସ ଅଧିକାରୀଙ୍କ ମୁହଁକୁ ବ୍ଲର୍‌ କରିଦିଆଯିବ। ଏହାକୁ ସାମ୍ବାଦିକଙ୍କ ସମେତ ସାଧାରଣ ଜନତା ବିରୋଧ କରୁଛନ୍ତି। ଖବରଦାତା ସଂଘର କହିବା ହେଲା ଉକ୍ତ ଆଇନ ବଳରେ ପୋଲିସ ସାମ୍ବାଦିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବ। ଫଳରେ ସୁରକ୍ଷା ବଳ ପକ୍ଷରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ କେହି ସ୍ବର ଉତ୍ତୋଳନ କରିପାରିବେ ନାହିଁ। ପ୍ରସ୍ତାବିତ ଆଇନ ପ୍ରେସ୍‌ ସ୍ବାଧୀନତାର କଣ୍ଠରୋଧ କରିବ ବୋଲି ଆଶଙ୍କା ବ୍ୟକ୍ତ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିରେ ୟେଲୋ ଭେଷ୍ଟ ଓ ଏକ୍ସଟିନ୍ସନ ରେବେଲିୟନ୍‌ ମୁଭ୍‌ମେଣ୍ଟର ବିକ୍ଷୋଭକାରୀ ସାମିଲ ହୋଇଛନ୍ତି। ଏଫିଲ ଟାଓ୍ବାରରେ ପୋଲିସ-ଆନ୍ଦୋଳନକାରୀ ମୁହଁାମୁହିଁ ହୋଇଛନ୍ତି।

ତ୍ରିପୁରାରେ ବ୍ରୁ ସଙ୍କଟ
ତ୍ରିପୁରାରେ ବ୍ରୁ ଶରଣାର୍ଥୀଙ୍କୁ ନେଇ ୨୩ ବର୍ଷ ତଳର ବିବାଦ ସଙ୍କଟ ସୃଷ୍ଟି କରିଛି। ପଡ଼ୋଶୀ ମିଜୋରାମରେ ଜାତିଆଣ ହିଂସାର ଶିକାର ହୋଇ ସେଠାରୁ ବିସ୍ଥାପିତ ହେବା ପରେ ୬ ହଜାର ବ୍ରୁ ପରିବାର ତ୍ରିପୁରାକୁ ପଳାୟନ କରିଥିଲେ। ତ୍ରିପୁରାରେ ଶରଣାର୍ଥୀ ଭାବେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ରହିଆସୁଥିବା ୩୫,୦୦୦ ବ୍ରୁ ଆଦିବାସୀକୁ ପୁନଃ ଥଇଥାନ କରିବା ପାଇଁ ବିପ୍ଳବ ଦେବଙ୍କ ନେତୃତ୍ୱାଧୀନ ଭାଜପା ସରକାର ନିଷ୍ପତ୍ତି ନେଇଛନ୍ତି। ଜଏଣ୍ଟ ମୁଭମେଣ୍ଟ କମିଟି ପକ୍ଷରୁ ଏହାକୁ ବିରୋଧ କରି ନର୍ଥ ତ୍ରିପୁରା ଡିଷ୍ଟ୍ରିକ୍ଟର କାଞ୍ଚନପୁର ସବ୍‌ଡିଭିଜନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଡାକରା ଦିଆଯାଇଛି। ଆନ୍ଦୋଳନ ଯୋଗୁ ସରକାରୀ ଅଫିସ ଓ ଦୋକାନ ବଜାରଗୁଡ଼ିକ ବନ୍ଦ ରହିଛି। ଉତ୍ତର ତ୍ରିପୁରାର କାଞ୍ଚନପୁର ଅଞ୍ଚଳରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ପୋଲିସ ଗୁଳିରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୨୩ ଆହତ ହୋଇଛନ୍ତି।

ଇଥିଓପିଆ ଗୃହଯୁଦ୍ଧ
ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦଙ୍କ ସରକାର ବିରୋଧରେ ଟିଗ୍ରେସ୍‌ ପିପୁଲ୍ସ ଲିବରେଶନ୍‌ ଫ୍ରଣ୍ଟ (ଟିପିଏଲ୍‌ଏଫ୍‌) ଯୁଦ୍ଧଂଦେହି ଡାକରା ଦେଇଛି। ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ସୀମା ଅତିକ୍ରମ କରିବା ପରେ ରାଜନୈତିକ ତଥା ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ଟିଗ୍ରେ ଅଞ୍ଚଳରେ ସଂଘୀୟ ସରକାର ଓ ଅସନ୍ତୁଷ୍ଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ଉତ୍ତେଜନା ନଭେମ୍ବର ୪ରେ ସାମରିକ ସଂଘର୍ଷର ରୂପ ନେଇଥିଲା। ସଂଘର୍ଷରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ୩୬,୦୦୦ରୁ ଅଧିକ ଲୋକ ପଡ଼ୋଶୀ ସୁଦାନକୁ ପଳାୟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅବି ଟିପିଏଲ୍‌ଏଫ୍‌ ବିରୋଧରେ ସେନା ଶିବିରକୁ ଆକ୍ରମଣ, ସୈନ୍ୟଙ୍କୁ ହତ୍ୟା ଓ ଯୁଦ୍ଧାସ୍ତ୍ର ଚୋରି ଅଭିଯୋଗ ଆଣିଥିଲେ। ଫଳରେ ଟିଗ୍ରାୟନ୍‌ ବିଦ୍ରୋହୀମାନେ ରାଜଧାନୀ ଆଡିସ୍‌ ଅବାବା ଓ ପଡ଼ୋଶୀ ଇରିଟ୍ରେଆ ଉପରେ ରକେଟ୍‌ ମାଡ଼ କରିଛନ୍ତି। ଏଥିଯୋଗୁ ଇଥିଓପିଆରେ ଗୃହଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ଚିନ୍ତାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri