ଆଜିଠୁ ବାଲିଯାତ୍ରା: ଟନେଲ ଆକ୍ୱାରିୟମ ଟିକେଟ ୧୫୦ ଟଙ୍କା

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ପ୍ରତିବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଉଛି। ଚଳିତବର୍ଷ ବାଲିଯାତ୍ରାରେ ଲୋକମାନେ ଟନେଲ ଆକ୍ୱାରିୟମରେ ମଜା ଉଠାଇପାରିବେ। ପ୍ରଥମଥର ପାଇଁ ଏହି ଆକ୍ୱାରିୟମ ବାଲିଯାତ୍ରାକୁ ଆସିବ, ଯାହାର ଲମ୍ବ ୨୫୦ ଫୁଟ୍‌ ରହିଥିବାବେଳେ ଓସାର ୬୦ ଫୁଟ ରହିଛି। ଲୋକମାନେ ଆକ୍ୱାରିୟମ ମଧ୍ୟରେ ପ୍ରବେଶ କରି ବିଭିନ୍ନ ପ୍ରଜାତିର ମାଛ ବୁଲି ଦେଖିପାରିବେ। ପ୍ରାୟ ୫ଶହ ପ୍ରଜାତିର ୨ହଜାରରୁ ଅଧିକ ମାଛ ଦେଖିବା ସହ ଫଟୋ ଉଠାଇପାରିବେ। ଜଣକ ପ୍ରତି ଟିକେଟ ମୂଲ୍ୟ ୧୫୦ ଟଙ୍କା ରହିଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ ଟିକେଟ ଉପଲବ୍ଧ ହେବ। ଯେଉଁମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ କରିଥିବେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିଥିବା ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ଆକ୍ୱାରିୟମ ଆନୁମାନିକ ମୂଲ୍ୟ ୪.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବାବେଳେ ଏଥିରେ ସାର୍କ, ଗୁରାମି ଭଳି ମାଛ ଦେଖିବାକୁ ମିଳିବ।