ମୃତ୍ୟୁର ୧୫ ମିନିଟ୍‌ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏକାଠି ଖାଇଥିଲେ ତୁନିଶା

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଲୋକପ୍ରିୟ ଟିଭି ଶୋ’ ଅଲି ବାବା: ଦସ୍ତାନ-ଏ-କାବୁଲର ସେଟରେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ସ୍ବର୍ଗତ ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ବିରୋଧରେ ଆତ୍ମହତ୍ୟା କରିଥିବା ଅଭିଯୋଗ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି। ଏଥିସହ ପୋଲିସ ଏହି ଘଟଣାରେ ଶିଜାନଙ୍କୁ ପଚରାଉଚରା କରୁଥିବା ବେଳେ ଅନେକ ତଥ୍ୟ ପ୍ରକାଶ ପାଇଛି।
ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ଏପର୍ଯ୍ୟନ୍ତ ଏହି ମାମଲା ସହ ଜଡିତ ୧୪ ଜଣଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଘଟଣା ଦିନ ତୁନିଶା ଖୁସିରେ ସକାଳେ ନିଜ ଘରୁ ସିରିଏଲ ସେଟକୁ ଯାଇଥିଲେ। ପ୍ରଥମ ସିଫ୍ଟର ଶୁଟ୍‌ରେ ସବୁକିଛି ସ୍ବାଭାବିକ ମନେ ହେଉଥିଲା ଏବଂ ଶୁଟିଂ ଶେଷ ହେବା ପରେ ତୁନିଶା ମେକ ଇନ ରୁମରେ ଅପରାହ୍ନ ୩ଟାରେ ଶିଜାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମାତ୍ର ୧୫ ମିନିଟ ପରେ ହିଁ ତୁନିଶା ମେକ ଇନ ରୁମରେ ଆତ୍ମହତ୍ୟା କରିଥିଲେ।
ପୋଲିସ ବର୍ତ୍ତମାନ ଏହି କୋଣ ଅନୁଧ୍ୟାନ କରୁଛି ଯେ ଅପରାହ୍ନ ୩ ଟାରୁ ୩.୧୫ ମଧ୍ୟରେ ଏମିତି କ’ଣ ଘଟିଥିଲା, ଯାହାଫଳରେ ସେ ଜୀବନ ହାରିବାକୁ ବାଧ୍ୟ ହେଲେ। ପୋଲିସ ତୁନିଶା ଏବଂ ଶିଜାନଙ୍କ ମୋବାଇଲ ଫୋନକୁ ଟେଷ୍ଟ ପାଇଁ ଫୋରେନସିକ ଲ୍ୟାବକୁ ପଠାଇଛି। ଉଭୟଙ୍କ ମଧ୍ୟରେ ତିକ୍ତତା ପଛରେ ପ୍ରକୃତ କାରଣ କ’ଣ ଜାଣିବାକୁ ପୋଲିସ ଉଭୟଙ୍କ ମଧ୍ୟରେ ଥିବା କଲ ରେକର୍ଡ ଏବଂ ଚାଟ ଖୋଜିବାକୁ ଚେଷ୍ଟା କରୁଛି।
ତୁନିଶାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଆସିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ପୋଲିସ କହିଛି, ସେ ଗର୍ଭବତୀ ନ ଥିଲେ। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଡିସେମ୍ବର ୨୭ରେ ତୁନିଶାଙ୍କ ଶବସତ୍କାର କରାଯିବ।

Share