Posted inଫୁରସତ

ତୁଳସୀ

ବିଷ୍ଣୁପ୍ରିୟା ସେ। ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ
ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ । ପୁରାଣରୁ ଆୟୁର୍ବେଦ,ମଣିଷର ଜନ୍ମରୁ
ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ….
”ୟନ୍‌ ମୂଳେ ସର୍ବ ତୀର୍ଥାନୀ ୟନ୍‌ ମଧ୍ୟେ ସର୍ବ ଦେବତା
ୟଦାଗ୍ରେ ସର୍ବ ବେଦାଶ୍ଚ ତୁଳସୀ ତ୍ୱଂ ନମାମ୍ୟହମ୍‌ ।“
ବିଷ୍ଣୁପ୍ରିୟା ସେ ତୁଳସୀ। ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ । ପୁରାଣରୁ ଆୟୁର୍ବେଦ, ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ
ପୁରାଣ ପୃଷ୍ଠାରେ ତୁଳସୀ: ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ଦକ୍ଷସାବର୍ଣ୍ଣିଙ୍କ ବଂଶଧର ଧର୍ମପରାୟଣ ରାଜା ଧର୍ମଧ୍ୱଜ ଓ ରାଣୀ ମାଧବୀଙ୍କ ଗର୍ଭରୁ ଲକ୍ଷ୍ମୀ ସ୍ବରୂପିଣୀ ସର୍ବଗୁଣସମ୍ପନ୍ନା ପଦ୍ମିନୀ କନ୍ୟା ‘ତୁଳସୀ’ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାରରେ ଶ୍ରୀକୃଷ୍ଣଙ୍କ ରାସସ୍ଥଳୀ ବୃନ୍ଦାବନରେ ଜନ୍ମ ଗ୍ରହଣ କରିଥିଲେ। ଗୋଲକ ବିହାରୀଙ୍କ ଅଷ୍ଟ ଗୋପପାର୍ଷଦ ମଧ୍ୟରୁ ‘ସୁଦାମା’ ଶ୍ରୀରାଧାଙ୍କ ଦ୍ୱାରା ଶାପଗ୍ରସ୍ତ ହୋଇ ଶଙ୍ଖଚୂଡ ନାମକ ଦାନବ ରୂପେ ଜନ୍ମଗ୍ରହଣ କରିଥିଲେ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିର୍ଦ୍ଦେଶରେ ତୁଳସୀ ସେହି ଶଙ୍ଖଚୂଡକୁ ବିବାହ କରିଥିଲେ। ବିଷ୍ଣୁ ଶଙ୍ଖଚୂଡକୁ ବଧ କରନ୍ତେ, ପୂର୍ବଜନ୍ମର ବୃନ୍ଦାଙ୍କ ପରିବର୍ତ୍ତିତ ରୂପ ତୁଳସୀ ବିଷ୍ଣୁଙ୍କୁ ଶିଳାରୂପ ହେବାର ଅଭିଶାପ ଦେଇଥିଲେ। ମାୟାଧରଙ୍କ ନିର୍ଦ୍ଦେଶରେ ତୁଳସୀ ଦିବ୍ୟସ୍ବରୂପ ଗ୍ରହଣ କରି ତପସ୍ୟାର ଫଳସ୍ବରୂପ ଗୋଲକବିହାରୀଙ୍କ ସହ ବୈକୁଣ୍ଠରେ ଲକ୍ଷ୍ମୀଙ୍କ ସହ ବିଷ୍ଣୁପ୍ରିୟା ହୋଇ ରହିଲେ। ତୁଳସୀଙ୍କ ମରଶରୀର ଗଣ୍ଡକୀ ନଦୀ ହେଲା, କେଶରାଶିରୁ ତୁଳସୀ ବୃକ୍ଷ ସୃଷ୍ଟି ହେଲା।
ଅନେକ ନାମରେ ତୁଳସୀ : ସାରା ବିଶ୍ୱରେ ତୁଳସୀର ପ୍ରାୟ ୧୫୦ ପ୍ରଜାତି ଦେଖାଯାଇଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଓସିମମ୍‌ ଟେନୁଇଫ୍ଲୋରମ। ଓଡ଼ିଶାରେ ଦେଖାଯାଇଥାଏ ସୁଗନ୍ଧ, ଲଣ୍ଡା ବଗୁଲି, ସୁବାସି, କପୁର, କାନ୍ତି, କପୁର ତୁଳସୀ, ଗଙ୍ଗା ତୁଳସୀ, ଦୁର୍ଲଭା, ବଣତୁଳସୀ, ରାମ ତୁଳସୀ, ଶ୍ରୀ ତୁଳସୀ, ଶ୍ୟାମ ତୁଳସୀ, କଳା ତୁଳସୀ ଆଦି। ହିନ୍ଦୁ ବେଦ ଅନୁସାରେ ତୁଳସୀ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା, ବିଷ୍ଣୁ ତୁଳସୀ ଆଦି ନାମରେ ପରିଚିତ। ସବୁଜ ରଙ୍ଗର ପତ୍ର ଥିବା ତୁଳସୀ ଶ୍ରୀ ତୁଳସୀ ଓ ରାମ ତୁଳସୀ ନାମରେ ବି ପରିଚିତ। ଗାଢ଼ ସବୁଜ ରଙ୍ଗର ପତ୍ର ଥିବା ତୁଳସୀ ତଥା ବାଇଗଣୀ ରଙ୍ଗର ପତ୍ର ଓ ଶାଖା ଥିବା ତୁଳସୀକୁ କଳା ତୁଳସୀ ବା ଶ୍ୟାମା ତୁଳସୀ ବା କୃଷ୍ଣ ତୁଳସୀ ବୋଲି କୁହାଯାଏ। ତୁଳସୀର ଆହୁରି ଆଠୋଟି ନାମ ରହିଛି ଯଥା ବୃନ୍ଦା, ବୃନ୍ଦାବନୀ, ବିଶ୍ୱପୂଜିତା, ବିଶ୍ୱପାବନୀ, ପୁଷ୍ପସାରା, ନନ୍ଦିନୀ, ତୁଳସୀ ଓ କୃଷ୍ଣଜୀବନୀ। ପଦ୍ମ ପୁରାଣରେ କୁହାଯାଇଛି ଯେଉଁ ସ୍ଥାନରେ ତୁଳସୀ ଉଦ୍ୟାନ ରହିଥାଏ ତାକୁ ତୀର୍ଥସ୍ଥାନ ରୂପେ ମାନ୍ୟତା ମିଳେ। ତୁଳସୀ ମୂଳରେ ସମସ୍ତ ତୀର୍ଥ, ପତ୍ରରେ ଦେବତାଗଣ ବାସ କରନ୍ତି। ଏହା ମୂଳର ମାଟି ବି ପବିତ୍ର। ମସ୍ତକରେ ଏହାକୁ ଲଗାଇଲେ ମନରେ ସ୍ଥିରତା ଆସେ। ଏକାଗ୍ରତା ବଢ଼େ। ମନ ଶୁଦ୍ଧ ହୁଏ। ବିଶ୍ୱାସ ରହିଛି ଯେ-ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ସଂକ୍ରାନ୍ତି, ମଧ୍ୟାହ୍ନକାଳ, ତ୍ରିସନ୍ଧ୍ୟା, ଅଶୌଚ, ରାତ୍ରିରେ ପିନ୍ଧିଥିବା ବସ୍ତ୍ର, ତୈଳ ଲଗାଇବା ପରେ ତୁଳସୀ ପତ୍ର ଚୟନ କଲେ ଶ୍ରୀହରୀଙ୍କ ମସ୍ତକ ଛେଦନ ପରି ହୋଇଥାଏ।
ତୁଳସୀପ୍ରିୟ ମହାପ୍ରଭୁ: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ରସିକରାଜ କୁହାଯାଏ। ତାଙ୍କର ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ। ଶ୍ରୀମନ୍ଦିରରେ ହେଉ କି ପହଣ୍ଡିରେ ଅବା ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ମଥାରେ ସର୍ବଦା ତୁଳସୀ ଶୋଭାପାଏ। ତୁଳସୀ ଓ ଦୟଣାପ୍ରିୟ ହେଉଛନ୍ତି ଶ୍ରୀଜଗନ୍ନାଥ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ, ଆଉ ମହାପ୍ରସାଦରେ ବି ତୁଳସୀ। ତୁଳସୀ ପଡ଼ିଲେ ହିଁ ଭୋଗ ପାଲଟେ ମହାପ୍ରସାଦ। ତୁଳସୀପ୍ରିୟ ଠାକୁର ସେ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳାଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ। ଠାକୁରଙ୍କର ଛଡ଼ାତୁଳସୀ ଟିକେ ପାଇଗଲେ ଭକ୍ତର ମନ ପୂରିଉଠେ। ତୁଳସୀରେ ପୂଜା, ତୁଳସୀରେ ଉପଚାର, ତୁଳସୀରେ ଆଜ୍ଞା ଓ ତୁଳସୀରେ ଅନୁରାଗ। ପ୍ରଭୁଙ୍କର ଏମିତି କୌଣସି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ‘ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଦିନ ପୁଷ୍ପମଣ୍ଡିତ ସମୟରେ ଫୁଲମାଳାରେ ତୁଳସୀ ଦିଆଯାଇଥାଏ। ମହାପ୍ରଭୁ ତୁଳସୀର ମାଳ ପିନ୍ଧିବାକୁ ଭଲ ପାଆନ୍ତି। ଶ୍ରୀଅଙ୍ଗରେ ତୁଳସୀ ମଞ୍ଜରୀ ପ୍ରଦାନ କଲେ ମହାପ୍ରଭୁ ସମସ୍ତ ମନୋବାଞ୍ଛା ପୂରଣ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏମିତି ବି କୁହାଯାଏ ଯାହା ଘରେ ତୁଳସୀ ଚଉରା ଥାଏ ସେ ଘରେ ଦୈବୀ ଦୁର୍ବିପାକ ହୋଇ ନ ଥାଏ। ପ୍ରତିଦିନ ସକାଳେ ସ୍ନାନ ସାରି ଯେଉଁ ବ୍ୟକ୍ତି ତୁଳସୀ ବୃକ୍ଷରେ ପାଣି ଦିଅନ୍ତି ସେମାନଙ୍କର ସବୁପ୍ରକାର ଉନ୍ନତି ହୋଇଥାଏ ବୋଲି ଡ. ଦାଶ କହନ୍ତି।
ଦାସିଆ ପୀଠର ତୁଳସୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବା ମଧ୍ୟରେ ତୁଳସୀ ସେବା ଅନ୍ୟତମ। ପ୍ରତିଦିନ ସାଆନ୍ତଙ୍କ ପାଖରେ ଲାଗି ହୁଏ ତୁଳସୀ। ଆଉ ଏଇ ତୁଳସୀ ଆସେ ଭକ୍ତ ଦାସିଆ ବାଉରୀଙ୍କ ପୀଠ ପିପିଲି ନିକଟସ୍ଥ ବାଲି ଗାଁରୁ। ଦାସିଆ ବାଉରୀଙ୍କ ସ୍ମୃତିରେ ଏଠାରେ ତୁଳସୀ ବଣ କରାଯାଇଛି। କି ଖରା, କି ବର୍ଷା ସବୁଦିନ ମା’ ବୃନ୍ଦାବତୀଙ୍କୁ ପୂଜା କରି ତୁଳସୀ ପତ୍ର ସଂଗ୍ରହ କରି କାଳିଆ ଠାକୁରଙ୍କ ପାଇଁ ପଠାଯାଏ। ଖାଲି ତୁଳସୀ ନୁହେଁ, ଏଠାକାର ପୋଖରୀର ପଦ୍ମ ଫୁଲ ଓ ନଡିଆ ବି ପଠାଯାଏ।
ତୁଳସୀ ବାବା : ବ୍ରହ୍ମଗିରିରେ ଜନ୍ମ ସନ୍ଥଶ୍ରୀ ରାମଶରଣ ଦାସଜୀ ମହାରାଜଙ୍କର। ତେବେ ଭୁବନେଶ୍ୱର, ମଞ୍ଚେଶ୍ୱରସ୍ଥ ଗାଢକଣ ହନୁମାନ ମନ୍ଦିରରେ ରୁହନ୍ତି। ସୂର୍ଯ୍ୟ ଉଇଁବା ପରେ ସେ ଗାଡି ଧରି ବାହାରି ପଡନ୍ତି ତୁଳସୀ ସଂଗ୍ରହ କରିବା ପାଇଁ। ପଥର ଗଡିଆ, ଚନ୍ଦକା, କଣ୍ଟାବାଡ, ସମ୍‌ ହସ୍ପିଟାଲ, କଳିଙ୍ଗ ବିହାର, ପାତ୍ରପଡା, ସୂଚନାଭବନ ହୁଣ୍ଡି, ବ୍ରହ୍ମେଶ୍ୱର ପାଟଣା, ମହାବୀର ବିହାର, ଦାସିଆ ବାଉରୀ ପୀଠ ଆଦି ସ୍ଥାନରୁ ତୁଳସୀ ସଂଗ୍ରହ କରି ସେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଲାଗି ପାଇଁ ପଠାନ୍ତି। ଆଜକୁ ପ୍ରାୟ ଦୀର୍ଘବର୍ଷ ଧରି ସେ ଏହି ସେବା କରି ଆସୁଛନ୍ତି। ତେଣୁ ସମସ୍ତେ ତାଙ୍କୁ କହନ୍ତି ‘ତୁଳସୀ ବାବା’ ବୋଲି।
ବିଶ୍ୱାସରେ, ସବୁ ପ୍ରାରମ୍ଭରେ ତୁଳସୀ: ”ମା’ ଗୋ ତୁଳସୀ ଦେବୀ.. ଅଟୁ କୃଷ୍ଣଙ୍କ ପ୍ରାଣବଲ୍ଲଭୀ, ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ, ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ବୈକୁଣ୍ଠ ଲଭିବା ପାଇଁ।“ ସେଥିପାଇଁ ତ ପ୍ରତ୍ୟେକ ଓଡ଼ିଆ ଗୃହିଣୀ ପ୍ରାତଃ ସ୍ନାନାନ୍ତେ ତୁଳସୀ ମୂଳେ ଜଳଦାନ ଦେଇ ପରିବାରର ମଙ୍ଗଳକାମନା କରନ୍ତି। ଆଉ ତୁଳସୀମୂଳର ମାଟି ମସ୍ତକରେ ଲଗାଇ ତୁଳସୀପତ୍ର ସେବନ କରିଥାଅନ୍ତି। କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭରେ ତୁଳସୀକୁ ପୂଜା ଲାଗି ହୋଇଥାଏ। ଗାଁ ନ୍ୟାୟ ନିଶାପରେ ବି ଭଦ୍ର ବ୍ୟକ୍ତିମାନେ ତୁଳସୀକୁ ଈଶ୍ୱରଙ୍କ ପ୍ରତୀକ ମନେକରି ସତ, ବିଶ୍ୱାସ ଓ ନ୍ୟାୟ ବିଚାର କରିଥାଆନ୍ତି। ଯାଜପୁର ଜିଲା ହରିପୁର ଗାଁରେ ସଭା ଡାକିବା ପାଇଁ ଗାଁରେ ତୁଳସୀ ପତ୍ର ବୁଲାଯାଇଥାଏ। ଆଶ୍ୱିନ ମାସରେ ଓଡ଼ିଶାର କୁଅଁାରୀ ଝିଅମାନେ ତୁଳସୀଚଉରା ଗଛ ଚାରିପାର୍ଶ୍ୱକୁ ଜହ୍ନିଫୁଲରେ ସଜାଇ ଜହ୍ନିଓଷା ନାମକ ଏକ ପୂଜା କରନ୍ତି। ଶରୀର ସୁସ୍ଥ ରହିବା ସହ ସୁନ୍ଦର ବର ପାଇବା ପାଇଁ କୁଆଁରୀମାନେ ଏହି ପୂଜା କରିଥାଆନ୍ତି। ମା’ମାନେ ଛୋଟ ପିଲାଙ୍କୁ କୁନଜରରୁ ରକ୍ଷା କରିବା ପାଇଁ ଜଳତୁଳସୀ ପାନ କରାଇ କାନରେ ତୁଳସୀ ଲଗାଇଥାଆନ୍ତି। ଯେଉଁଠାରେ ତୁଳସୀବନ ସେଠାରେ ଭକ୍ତ ଶିରୋମଣି ରାମଭକ୍ତ ହନୁମାନ ନିବାସ କରିଥାନ୍ତି ବୋଲି କୁହାଯାଏ ା ହନୁମାନଙ୍କ ପୂଜାରେ ବି ତୁଳସୀର ମହତ୍ତ୍ୱ ରହିଛି। ଓଡ଼ିଶାରେ ପ୍ରତି ଠାକୁରଙ୍କୁ ପୂଜା କରିବା ଲାଗି ତୁଳସୀ ବ୍ୟବହାର କରାଯାଏ।
କାର୍ତ୍ତିକ ମାସରେ ତୁଳସୀ: ମାସ ଭିତରେ କାର୍ତ୍ତିକ ମାସର ମହତ୍ତ୍ୱ ବେଶି। ଏହାକୁ ଧର୍ମ ମାସ ବୋଲି କୁହାଯାଏ। ଆଉ ଏହି ମାସରେ ତୁଳସୀର ମହତ୍ୱ ବଢିଯାଇଥାଏ। ଓଡ଼ିଶାରେ ହବିଷ୍ୟାଳୀମାନେ ଏହି ମାସରେ ତୁଳସୀ ଚଉରା ପୂଜା କରନ୍ତି। ବିଶ୍ୱାସ ରହିଛି ଏହାଦ୍ୱାରା ଅନେକ ପୁଣ୍ୟ ଲାଭ ହୁଏ।
ତୁଳସୀମାଳା: ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ତେଣୁ ତାଙ୍କ ପୂଜାରେ ତୁଳସୀର ମହତ୍ତ୍ୱ ଅଶେଷ ରହିଛି। କେବଳ ବିଷ୍ଣୁ ନୁହନ୍ତି ତାଙ୍କର ଅନ୍ୟ ଅବତାର କୃଷ୍ଣଙ୍କ ପୂଜାରେ ବି ତୁଳସୀ ପୂଜା କରାଯାଏ। ଅନେକେ ପୂଜା ସମୟରେ ଜପାମାଳ ବ୍ୟବହାର କରନ୍ତି। ଯାହାକି ତୁଳସୀର ଗଣ୍ଡ ଓ ଚେରରେ ତିଆରି ହୋଇଥାଏ। ଏହା ତୁଳସୀମାଳା ନାମରେ ବି ପରିଚିତ। ଏହାକୁ ପବିତ୍ର ବୋଲି ଧରାଯାଏ। କଥାରେ ଅଛି ”ତୁଳସୀର ମାଳ ତୁଳସୀର ଚୂଳ, ତୁଳସୀ ଭୂଷଣ ହୋଇ ତୁଳସୀ ମୂଳରେ ଲୟ ଲଗାଇଲେ ନୀଳଚକ୍ର ଦିଶୁଥାଇ।“ତେଣୁ ତୁଳସୀମାଳାକୁ ଧାରଣ କରୁଥିବା ବ୍ୟକ୍ତିଙ୍କର ଭଗବାନ ବିଷ୍ଣୁ, କୃଷ୍ଣ ତଥା ଶ୍ରୀ ଜଗନ୍ନାଥଙ୍କ ସହ ସିଧାସଳଖ ସଂଯୋଗ ରହେ ବୋଲି ବିଶ୍ୱାସ ରହିଛି। କିଏ ଏହାକୁ ଗଳାରେ ଧାରଣ କରନ୍ତି ତ କିଏ କଚଟିରେ। ବୈଷ୍ଣବ ଧର୍ମୀମାନଙ୍କ ପରିଚୟ ଗଳାରେ ଥିବା ତୁଳସୀମାଳ ବୋଲି ବି କୁହାଯାଏ। ବୈଷ୍ଣବ ଧର୍ମରେ ତୁଳସୀର ଉପତ୍ତି ସମୁଦ୍ର ମନ୍ଥନ ସହ ଜଡିତ ରହିଛି। ସମୁଦ୍ର ମନ୍ଥନର ଶେଷରେ ଧନ୍ବନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ। ଅମୃତକୁ ପାଇବା ପାଇଁ ଅସୁରମାନେ ଅନେକ ପ୍ରୟାସ କରିଥିଲେ। କିନ୍ତୁ ବିଷ୍ଣୁ ଏହାକୁ ଅସୁରଙ୍କଠାରୁ ରକ୍ଷା କରି ଦେବତାଙ୍କ ପାଇଁ ଆଣିଥିଲେ। ଆଉ ତାଙ୍କ ଆଖିରୁ ଖୁସିର ଅଶ୍ରୁ ବୋହିଯାଇଥିଲା। ଅଶ୍ରୁର ପ୍ରଥମ ବୁନ୍ଦା ଯାହା ଅମୃତରେ ପଡିଥିଲା ତାହା ତୁଳସୀରେ ପରିଣତ ହୋଇଥିବା ବିଶ୍ୱାସ ରହିଛି।
ବାସ୍ତୁଦୋଷ ଦୂର କରେ ତୁଳସୀ- ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଲଗାଇଲେ ନକାରାତ୍ମକ ଉର୍ଜା ଘରଠାରୁ ଦୂରଇ ରହେ। ଆଉ ଘରେ ଶାନ୍ତିର ପରିବେଶ ସୃଷ୍ଟି ହୁଏ। ତେବେ ତୁଳସୀ ଗଛକୁ ସବୁବେଳେ ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାନ୍ତୁ। ଯଦ୍ଦ୍ବାରା ଘରେ ସକାରାତ୍ମକ ଉର୍ଜା ଭରିଥାଏ। ଏହାକୁ ରୋଷେଇ ଘର ପାଖରେ ଲଗାଇଲେ ପାରିବାରିକ କଳହ କମ୍‌ ହୁଏ। ଘରେ ଯୁବତୀ ଝିଅର ବିବାହ ବିଳମ୍ବ ହେଉଥିଲେ ତୁଳସୀ ଗଛକୁ ଅଗ୍ନି କୋଣରେ ରଖି କନ୍ୟା ସବୁଦିନ ଜଳଦାନ କଲେ ଫଳ ଖୁବ୍‌ ଶୀଘ୍ର ମିଳେ। ବ୍ୟବସାୟ ଠିକ୍‌ରେ ଚାଲୁ ନ ଥିଲେ ତୁଳସୀଗଛକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖି ସବୁ ଶୁକ୍ରବାର ସକାଳେ କଞ୍ଚ ଖୀର ଚଢାଇ ମିଷ୍ଟାନ୍ନ ଭୋଗ କଲେ ସୁଫଳ ମିଳେ। ଶାସ୍ତ୍ରରେ କୁହାଯାଇଛି ଯେ, ଘରେ କୌଣସି ସମସ୍ୟା ଆସିବାକୁ ଥିଲେ ତୁଳସୀ ବୃକ୍ଷ ମରିଯାଇଥାଏ। ଘରେ ସବୁଠିକ୍‌ ଥିଲେ ତୁଳସୀ ବେଶ୍‌ ସବୁଜିମା ଭରା ହୋଇ ରହେ। ଆଉ ଶୁଖି ନ ଥାଏ।
ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା: ତୁଳସୀର ପ୍ରତ୍ୟେକ ଅଂଶ ପବିତ୍ର। ଏମିତିକି ଏହା ଚତୁଃପାର୍ଶ୍ୱର ମାଟି ବି ପବିତ୍ର। ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତୁଳସୀର ମାହାତ୍ମ୍ୟ ରହିଛି। ଶିଶୁଟିଏ ଜନ୍ମ ହେଲେ ଏକୋଇଶିଆ ଦିନ ଆୟୋଜିତ ସତ୍ୟ ନାରାୟଣ ପୂଜାରେ ତୁଳସୀ ଲୋଡ଼ା ପଡ଼େ। ସେହିଭଳି ପଦ୍ମପୁରାଣ କହେ ଦାହ ସଂସ୍କାର ସମୟରେ ଜୁଇରେ ଶୁଖିଲା ତୁଳସୀ କାଠ ରଖାଯାଇଥିଲେ ସେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି କରି ବୈକୁଣ୍ଠରେ ସ୍ଥାନ ପାଆନ୍ତି। ମୃତ୍ୟୁଶଯ୍ୟାରେ ଥିବା ବ୍ୟକ୍ତିଙ୍କ ତୁଣ୍ଡରେ ତୁଳସୀ ଓ ଗଙ୍ଗାଜଳ ଦେବାର ପରମ୍ପରା ରହିଛି। ବିଶ୍ୱାସ କରାଯାଇଥାଏ ଯେ, ଏଭଳି କଲେ ମୃତ୍ୟୋପରାନ୍ତ ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରାପ୍ତ ହୁଏ।
ପରିବେଶକୁ ଶୁଦ୍ଧ କରେ ତୁଳସୀ
ତୁଳସୀ ଔଷଧୀୟ ଗୁଣ ସମ୍ପନ୍ନ। ଏହାର କେବଳ ପତ୍ର ନୁହେଁ, ଚେର,ମୂଳ, ମଞ୍ଜରୀ, ଫୁଲ ଓ ମଞ୍ଜିକୁ ମଧ୍ୟ ଔଷଧ ରୂପେ ଗ୍ରହଣ କରାଯାଏ। ସାଧାରଣତଃ ଆମେ ଦୁଇ ପ୍ରକାରର ତୁଳସୀ ଜାଣିଛୁ। ଗୋଟିଏ କଳା ତୁଳସୀ ଓ ଅନ୍ୟଟି ଧଳା ତୁଳସୀ। ତେବେ ଆହୁରି ଅନେକ ପ୍ରକାରର ତୁଳସୀ ଅଛି। ସେସବୁର ଅଲଗା ଅଲଗା ପ୍ରୟୋଗ ବି ରହିଛି। ଏହାବାଦ ଯେଉଁସ୍ଥାନରେ ତୁଳସୀ ଗଛ ଥାଏ ସେ ସ୍ଥାନରୁ ୬୦୦ ବର୍ଗ ଫୁଟ ପର୍ଯ୍ୟନ୍ତ ଅଞ୍ଚଳରେ ବାୟୁ ଶୁଦ୍ଧ ହୋଇଯାଏ। ଜୀବାଣୁ ଭୂତାଣୁ ଦୂର ହୁଏ। ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ କିଛି…
୧.ଥଣ୍ଡାକାଶ ଦୂର କରିବା ବିଷୟରେ ଆମ ସମସ୍ତଙ୍କର ଧାରଣା ରହିଛି। ତେବେ ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି।
୨.ମୁଖ୍ୟତଃ ଏହାର ପତ୍ରକୁ ବ୍ୟବହାର କରାଯାଏ। ତେବେ ଏହାର ମଞ୍ଜିକୁ ମଧ୍ୟ ପ୍ରୟୋଗ କରାଯାଇପାରିବ। ତୁଳସୀ ମଞ୍ଜିକୁ ବ୍ୟବହାର କରିବାର ଶ୍ରେଷ୍ଠଋତୁ ହେଉଛି ଶୀତଋତୁ। ଜଣେ ପ୍ରାପ୍ତବୟସ୍କ ଯୁବକ ମଞ୍ଜିର ଚୂର୍ଣ୍ଣ୨୦ ଗ୍ରାମ୍‌, ୪୦ ଗ୍ରାମ୍‌ ମିଶ୍ରିଚୂର୍ଣ୍ଣ ସହିତ ସେବନ କଲେ ଶରୀରରେ ଶକ୍ତି ବୃଦ୍ଧି ହୁଏ। ସେହିପରି ଯେଉଁମାନଙ୍କର ଯୌନ ଦୁର୍ବଳତା ରହିଛି ଏକ ଚାମଚ ତୁଳସୀ ମଞ୍ଜିକୁ ଏକ ଗ୍ଲାସ ପାଣିରେ ରାତିରେ ମିଶ୍ରି ସହିତ ଭିଜାଇ ସକାଳେ ଖାଲି ପେଟରେ ପିଇଲେ ସମସ୍ୟା ଦୂର ହୁଏ।
୩.ବିଛା କିମ୍ବା କଙ୍କଡ଼ା ବିଛା କାମୁଡ଼ାର ଯନ୍ତ୍ରଣା ଦୂର କରିବା ପାଇଁ ତୁଳସୀ ପତ୍ର ରସ ଲଗାନ୍ତୁ।
୪.ଦାନ୍ତ ବିନ୍ଧୁଥିଲେ- ତୁଳସୀ ପତ୍ର ରସ ଗୋଲମରିଚ ଚୂର୍ଣ୍ଣ ଉଷୁମ କରି ଦାନ୍ତରେ ଲଗାଇଲେ ଉପକାର ମିଳେ।
୫.କୃମି ସମସ୍ୟା- ଯେଉଁ ପିଲାଙ୍କର ବାରମ୍ବାର କୃମି ସମସ୍ୟା ହୁଏ ତାଙ୍କୁ ତୁଳସୀ ପତ୍ର ନିୟମିତ ସେବନ କରାନ୍ତୁ।
୬.କାଢା- କରୋନା ସମୟରେ ବାସଙ୍ଗ, ତୁଳସୀ ପତ୍ର, ଗୋଲମରିଚ, ଅଦା, ତେଜପତ୍ର ସିଝାଇ ପିଇଲେ ଉପକାର ମିଳେ।
୭. ବାରମ୍ବାର ଛିଙ୍କ, କାଶ ଓ ନାକରୁ ପାଣି ଝରୁଥିଲେ- ତୁଳସୀ ପତ୍ର ରସ, ହଳଦୀକୁ ଗାଈ ଘିଅ ସହ ମିଶାଇ ସାମାନ୍ୟ ଉଷୁମ କରି କିଛି ଦିନ ସେବନ କଲେ ସମସ୍ୟା ଦୂର ହୁଏ।
୮. ଗଳା ବସିଥିଲେ- ତୁଳସୀ ପତ୍ର ରସ, ବାସଙ୍ଗ ପତ୍ର ରସ ଏକ ଚାମଚ ଲେଖାଏଁ ମହୁ ସହିତ ଖାଇଲେ ଗଳା ବସିବା ସମସ୍ୟା ଦୂର ହୁଏ।
୯. ଶୁଖିଲା କାଶ- ତୁଳସୀ ପତ୍ର ରସ, ପୋସ୍ତକ ଚୂର୍ଣ୍ଣ, ମିଶ୍ରି ସମାନ ପରିମାଣରେ ଦିନକୁ ୨ ଥର ଖାଇଲେ କାଶ ଭଲ ହେବା ସହ ଗଳା ବସିଥିଲେ ବି ଭଲ ହୁଏ।
୧୦. ନାକରୁ ରକ୍ତ ପଡ଼ିଲେ- ଥଣ୍ଡା କାରଣରୁ ନାକରୁ ରକ୍ତ ଝରିଲେ ୨ ଟୋପା ତୁଳସୀ ପତ୍ର ରସ ନାକରେ ପକାନ୍ତୁ। ସମସ୍ୟା ଦୂର ହେବ।
୧୧. ଅଗ୍ନିମାନ୍ଦ୍ୟ- ନିୟମିତ ୫ଟି ତୁଳସୀପତ୍ର ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଖାଲି ପେଟରେ ତାକୁ ପିଅନ୍ତୁ।
୧୨. ତୁଳସୀ ପ୍ରଚୁର ପରିମାଣରେ ଅମ୍ଳଜାନ ଯୋଗାଏ। ତେଣୁ ତୁଳସୀଗଛ ସବୁଆଡେ ଲଗାଇବା ଉଚିତ।
-ଶିବାନୀ ମହାନ୍ତି
ହେମନ୍ତ ନାୟକ, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇଠି ଚାଲେ ଏମାନଙ୍କ ରାଜୁତି

ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଛି ଅଭୟାରଣ୍ୟ ଆଉ ସେମାନଙ୍କୁ ଶିକାର ନ କରିବାକୁ ଜାରି କରାଯାଇଛି ଅନେକ ନିୟମକାନୁନ। ହେଲେ...

ମାଲିକଙ୍କୁ ଏମିତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ହାତୀ, ଦେଖିଲେ ଆଖିରେ ରହିବନି ଲୁହ

ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।...

ବିବାହର ୨୫ ବର୍ଷ ପରେ ସ୍ତ୍ରୀଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ସ୍ବାମୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଆମ ହୃଦୟ ଜିଣିନିଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ...

ଚତୁର୍ଥୀ ରାତିରେ ସ୍ବାମୀଙ୍କ ଉଡିଗଲା ହୋସ୍‌: ରାତି ୧୨ରେ ଶ୍ୱଶୁରଙ୍କୁ ଲଗାଇଲେ ଫୋନ୍‌

ଭୋପାଳ,୨।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଶ୍ୱଶୁର ଘର ନାଁରେ ବିବାହ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ସେ ଅଭିଯୋଗରେ...

ଗୀତରେ ଭାଷା, ସଂସ୍କୃତିର ଜ୍ଞାନ

ଉତ୍ତରକାଶୀ: ଭାରତର ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ଏବଂ ଇତିହାସ ରହିଛି। ଉକ୍ତ ସ୍ବାତନ୍ତ୍ର୍ୟକୁ ନେଇ ରାଜ୍ୟ ସମୃଦ୍ଧ। ତେଣୁ ନିଜ ରାଜ୍ୟ...

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଯୁବକ ପିନ୍ଧାଇଲେ ଏମିତି ମୁଦି, ଦେଖିଲେ ଲାଗିବ ଘୃଣା

ଶୋସିଆଲ ମିଡିଆରେ ଏକ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ୍‌ ଭାଇରାଲ ହୋଇଛି। ଏହି ରିଙ୍ଗ୍‌ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଘୃଣା ବି କରିବ। ଏହି...

ଗୁଗଲକୁ ୨୩ ବର୍ଷ…

ଓ୍ବାଶିିଂଟନ,୨୭।୯: ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ସୋମବାର ୨୩ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଗୁଗଲ ପକ୍ଷରୁ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଗୁଗଲର ଇଂଲିଶ୍‌...

ଜାଗା ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ, ୪ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଗଛରେ ଚଢ଼ିଗଲା ମାଙ୍କଡ; ଆଉ ତା’ ପରେ..

ସୀତାପୁର: ଉତ୍ତରପ୍ରଦେଶର ସୀତାପୁର ଜିଲାର ଜଣେ ବୃଦ୍ଧ ଜାଗା ରେଜିଷ୍ଟ୍ରେଶନ କରିବାକୁ ବିକାଶ ଭବନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଯାଇଥିଲେ। ପାଖରେ ତାଙ୍କର ୪ଲକ୍ଷ ଟଙ୍କା ଭର୍ତ୍ତି...

Advertisement
Archives

Model This Week