Categories: ଜାତୀୟ

‘ମନ୍‌ କୀ ବାତ୍‌’ ନ ଶୁଣିବାରୁ ସ୍କୁଲ ପିଲାଙ୍କୁ ୧୦୦ ଲେଖାଏ ଜରିମାନା

ଡେରାଡୁନ୍‌,୫ା୫: ଏପ୍ରିଲ ୩୦ରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୦ତମ ଅଧ୍ୟାୟକୁ ଦେଶବିଦେଶରେ ଶୁଣାଯାଇଥିଲା। ଏଥିପାଇଁ ଭାଜପା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। କିନ୍ତୁ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ରେ ଥିବା ଏକ ସ୍କୁଲରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା। ଛାତ୍ରୀଛାତ୍ରମାନେ ‘ମନ୍‌ କୀ ବାତ୍‌’ ଶୁଣିବା ପାଇଁ ସ୍କୁଲକୁ ଆସି ନ ଥିଲେ। ତେଣୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କଠାରୁ ଜଣ ପିଛା ୧୦୦ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ବିଦ୍ୟାଳୟର ହ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କଠାରୁ ଜରିମାନା ଅସୁଲ କରିବା ଲାଗି ସ୍କୁଲ ମ୍ୟାନେଜମେଣ୍ଟ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାଶନାଲ ଆସୋସିଏଶନ୍‌ ଫର୍‌ ପ୍ୟାରେଣ୍ଟ୍‌ସ ଆଣ୍ଡ୍‌ ଷ୍ଟୁଡେଣ୍ଟ୍‌ସ ରାଇଟ୍ସ ଅଧ୍ୟକ୍ଷ ଆରିଫ୍‌ ଖାନ୍‌ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଶିକ୍ଷା ବିଭାଗ ଏହା ଉପରେ ୩ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ଉକ୍ତ ସ୍କୁଲକୁ ନୋଟିସ କରିଛି।
ଆରିଫ୍‌ ଖାନ୍‌ କହିଛନ୍ତି, ଡେରାଡୁନ୍‌ସ୍ଥିତ ଜିଆର୍‌ଡି ନିରଞ୍ଜନପୁର ଏକାଡେମୀ ରବିବାର ‘ମନ୍‌ କୀ ବାତ୍‌’ ଶୁଣିବା ପାଇଁ ସ୍କୁଲ ଆସି ନ ଥିବା ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ ଛାତ୍ରୀଛାତ୍ର ସେଦିନ ସ୍କୁଲ ଆସି ନ ଥିଲେ ସେମାନେ ୧୦୦ ଟଙ୍କା ଜରିମାନା ଦେବେ ନଚେତ ନିଜ ମେଡିକାଲ ସାର୍ଟିଫିକେଟ୍‌ ଦାଖଲ କରିବେ। ଅଭିଭାବକମାନେ ଉକ୍ତ ଅର୍ଡରର ସ୍କ୍ରିନ୍‌ଶର୍ଟ ମଧ୍ୟ ଶେୟାର କରିଛନ୍ତି। ଏନେଇ ମୁଖ୍ୟ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର କହିଛନ୍ତି, ସ୍କୁଲକୁ ଏକ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ସ୍କୁଳ କର୍ତ୍ତୃପକ୍ଷ ୩ ଦିନ ମଧ୍ୟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ ନ କଲେ, ବିଦ୍ୟାଳୟ ତରଫରୁ ଟଙ୍କା ଅସୁଲ କରାଯାଉଥିଲା ବୋଲି ଧରାଯିବ। ଏହାପରେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ।

Share