ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟିବି ପରୀକ୍ଷା ହେଉ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭ ।୭: କରୋନା ମହାମାରୀ ବେଳକୁ ବେଳ ତା’ର ନୂଆ ରୂପ ଦେଖାଇ ଚାଲିଥିବା ବେଳେ ବେଳକୁ ବେଳ ଭୟ ବି ଲୋକଙ୍କ ମନରୁ ଯାଇ ପାରୁନି । କରୋନା ଭାଇରସକୁ ନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟ୍ୟୁବରକ୍ୟୁଲୋସିସ ବା ଟିବି ପରୀକ୍ଷା କରାଯାଉ । ସେହିପରି ଟିବିରୁ ଭଲ ହୋଇଥିବା ରୋଗୀଙ୍କର କରୋନା ସ୍କ୍ରିନିଂ କରାଯାଉ । ସୂଚନାଯୋଗ୍ୟ, ଦେଶରେ କରୋନାର ଦ୍ୱିତୀୟ ଲହର କମ୍ ହୋଇ ନ ଥିବା ବେଳେ କେଉଁଠି କେଉଁଠି ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବା କୁହାଯାଉଛି । ସଂକ୍ରମଣ ମଧ୍ୟ ଗୋଟିଏ ଦିନ କମ୍ ହେଲେ ଆର ଦିନକୁ ପୁଣି ବଢି ଯାଉଛି । କେରଳ ଓ ମହାରାଷ୍ଟ୍ରରେ ପୁଣିଥରେ ସଂକ୍ରମଣ ବଢିଯାଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୮,୧୧୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୬୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଅର୍ଥାତ୍ ଶୁକ୍ରବାର ଦେଶରେ ୩୯,୦୭୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୪୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏପଟେ କରୋନାକୁ ହରାଇବା ପାଇଁ ଟିକାକରଣ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି ।

Share