Categories: ବାଣିଜ୍ୟ

ବିପିସିଏଲ୍‌ ସହ ଟିଏସ୍‌ଏମ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର,୧୩।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି। ଟିଏସ୍‌ଏମ୍‌ଏଲ୍‌ର ଯାଜପୁରସ୍ଥିତ ଫେରୋ ଆଲଏଜ୍‌ କାରଖାନା ପାଇଁ ଦୀର୍ଘମିଆଦୀ ଲିକ୍ୱିଫାଏଡ୍‌ ନାଚୁରାଲ୍‌ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଯୋଗାଣ ଲାଗି ଗୁରୁବାର ଉଭୟ ସଂସ୍ଥାର ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ବୁଝାମଣା ହୋଇଥିଲା। ଓଡ଼ିଶା ସରକାରଙ୍କ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ଉକ୍ତ ଏମ୍‌ଓୟୁ ହୋଇଥିବା ବେଳେ ଉଭୟ ସଂସ୍ଥାଙ୍କୁ ସେ ପ୍ରଶଂସା କରିଥିଲେ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ବିପିସିଏଲ୍‌ ସହ ଆମ ସହଭାଗିତା ଯାଜପୁରସ୍ଥିତ ଫେରୋ ଆଲଏଜ୍‌ କାରଖାନାକୁ ଦ୍ରୁତ ଏଲ୍‌ଏନ୍‌ଜି ଯୋଗାଣ ସୁନିଶ୍ଚିତ କରିବ। ଏପରିକି ଡିକାର୍ବନାଇଜେଶନ ପ୍ରତି ଆମ ପ୍ରତିବଦ୍ଧତା ଓ ଦୀର୍ଘସ୍ଥାୟୀ ଯୋଜନା ଅନୁସାରେ ଉକ୍ତ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ସେହିଭଳି ଆମେ ଭାବୁଛୁ ଯେ ଏହି ସହଭାଗିତା କାର୍ବନ ଫୁଟ୍‌ପ୍ରିଣ୍ଟକୁ ହ୍ରାସ କରିବାରେ ଆମକୁ ସହାୟକ ହେବା ସହ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ବିପିସିଏଲ୍‌ର ମୁଖ୍ୟ (ଗ୍ୟାସ୍‌) ପୂର୍ବ ରୌଫ୍‌ ଏମ୍‌ ଖାନ୍‌ କହିଛନ୍ତି, ଟାଟା ଷ୍ଟିଲ୍‌ ମାଇନିଂ ସହ ସହଭାଗିତ ସ୍ଥାପନ କରିବା ଏବଂ ସେମାନଙ୍କ ପରିଚାଳନା ପାଇଁ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ କରୁଥିବାରୁ ଆମେ ବହୁତ ଖୁସି। ଏହା ଡିକାର୍ବନାଇଜେଶନ ଲକ୍ଷ୍ୟ ଦିଗ ଆଡ଼କୁ ନିକଟତର କରିବାରେ ଆମକୁ ସକ୍ଷମ କରିପାରିଛି। ଅପରପକ୍ଷରେ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବା ଏବଂ ଏକ ସବୁଜ ଭବିଷ୍ୟତ ଆଡ଼କୁ କମ୍ପାନୀର ଉଦ୍ୟମକୁ ଆହୁରି ସୁଦୃଢ଼ କରିବାରେ ଟାଟା ଷ୍ଟିଲ୍‌ ମାଇନିଂର ଯାତ୍ରା ପ୍ରତି ଏହି ଏମ୍‌ଓୟୁ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।

Share