Categories: ବାଣିଜ୍ୟ

ଜୈବବିବିଧତା କ୍ଷେତ୍ରରେ ଟିଏସ୍‌ଏମ୍‌ଏଲ୍‌ ସମ୍ମାନିତ

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌)କୁ ‘ଗ୍ରୋ ଉଇଥ୍‌ ନେଚର’ ଏବଂ ‘ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ କଞ୍ଜରଭେଶନ୍‌ ସୋସାଇଟି ଅଫ୍‌ ଓଡ଼ିଶା’ (ଏନ୍‌ଡବ୍ଲ୍ୟସିଏସ୍‌ଓ) ପକ୍ଷରୁ ସମ୍ମାନିତ କରାଯାଇଛି। ବିଶେଷକରି ଜୈବବିବିଧତାର ସଂରକ୍ଷଣ ଦିଗରେ କମ୍ପାନୀ ବ୍ୟାପକ ପଦକ୍ଷେପ ନେଇଛି। ଏପରିକି ପରିବେଶ ସମ୍ପର୍କିତ ସଚେତନତା ସୃଷ୍ଟି ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଦ୍ୱାରା ପରିବେଶ ସଂରକ୍ଷଣରେ ସକ୍ରିୟ ଯୋଗଦାନ ପାଇଁ କମ୍ପାନୀକୁ ଏଭଳି ଏକ ସମ୍ମାନ ପ୍ରଦାନ କରାଯାଇଛି। ଅପରପକ୍ଷରେ ୬୮ତମ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ସହଭାଗିତାରେ ଏନ୍‌ଡବ୍ଲ୍ୟୁସିଏସ୍‌ଓ ପକ୍ଷରୁ ‘ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଦାୟିତ୍ୱବାନ ଅଂଶୀଦାରମାନଙ୍କ ଯୋଗଦାନ’ ସମ୍ପର୍କିତ ଏକ ଜାତୀୟସ୍ତରର କର୍ମଶାଳାରେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟିଏସ୍‌ଏମ୍‌ଏଲ୍‌ ପକ୍ଷରୁ କମ୍ପାନୀର ସହକାରୀ ମହାପ୍ରବନ୍ଧକ ଦେବରାଜ ତିୱାରୀ ଉକ୍ତ ପୁରସ୍କାର ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍‌) ଡ. ଅରୁଣ କୁମାର ମିଶ୍ର ଏବଂ ଏନ୍‌ଡବ୍ଲ୍ୟୁସିଏସ୍‌ଓର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କଠାରୁ ଗ୍ରହଣ କରିଥିଲେ। ଉକ୍ତ କର୍ମଶାଳାରେ ଏନ୍‌ଡବ୍ଲ୍ୟୁସିଏସ୍‌ଓ ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

Share