୬ ବର୍ଷ ହେଲା ପ୍ରାଣୀଧନଙ୍କ ଚିକିତ୍ସା ବ୍ୟବସ୍ଥା ଠପ୍‌

ବଇଣ୍ଡା,୧୪।୨ (ପରିକ୍ଷିତ ସାହୁ): ଗାଈ, ଛେଳି ଓ କୁକୁଡ଼ା ପାଳନ ପାଇଁ ସରକାର ଚାଷୀ, ମହିଳା ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ବ୍ୟାଙ୍କ ଜରିଆରେ ସବ୍‌ସିଡିଯୁକ୍ତ ଋଣ ପ୍ରଦାନ କରୁଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଦିଗରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳରେ। ଏଠାରେ ଥିବା ବଇଣ୍ଡା ପ୍ରାଣୀଧନ ଚିକିତ୍ସାଳୟକୁ ୨୦୧୮ରୁ ରାଜପଥ ନିର୍ମାଣ ପାଇଁ ଉଚ୍ଛେଦ କରାଯାଇଥିଲେ ହେଁ ନୂଆ ଡାକ୍ତରଖାନା ନିର୍ମାଣ ଦିଗରେ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବିଭିନ୍ନ ପଞ୍ଚାୟତର ସହସ୍ରାଧିକ ପ୍ରାଣୀଧନଙ୍କ ଚିକିତ୍ସା ସେବା ଦୀର୍ଘ ୬ ବର୍ଷ ହେଲା ଠପ୍‌ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବା ବେଳେ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗପତ୍ର ବଇଣ୍ଡା ଅଞ୍ଚଳ ପାଇଁ ନିଯୁକ୍ତ ପ୍ରାଣୀଧନ ନିରୀକ୍ଷକ କନ୍ଦର୍ପ ମାଝିଙ୍କୁ ପ୍ରଦାନ କରାଯାଇଛି।
ଉକ୍ତ ଅଭିଯୋଗପତ୍ରରେ ଅଞ୍ଚଳବାସୀ ଦର୍ଶାଇଛନ୍ତି, ଦୀର୍ଘବର୍ଷ ତଳୁ ବଇଣ୍ଡାଠାରେ ଏକ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଥିଲା। ହେଲେ ରାଜପଥ ସମ୍ପ୍ରସାରଣ ପାଇଁ ୨୦୧୮ ମେ ୧୭ରେ ଏହାକୁ ଉଚ୍ଛେଦ କରାଯାଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ପୁନଃ ନିର୍ମାଣ ହେଉନାହିଁ। ଏହା ଉପରେ ନୁନୁକାପଶି, ଗାଁବଇଣ୍ଡା, ଜାମୁନାଳୀ, ଲୁହାମୁଣ୍ଡା ପଞ୍ଚାୟତର ପ୍ରାଣୀଧନ ରଖିଥିବା ଚାଷୀମାନେ ନିର୍ଭର କରନ୍ତି। ବିଶେଷକରି ଏହି ପଞ୍ଚାୟତଗୁଡ଼ିକରେ ୩ ହଜାର ୨୨ ଗାଈ , ୪ ହଜାର ୨୧୨ ଛେଳି, ୧୧୨ ବିଦେଶୀ କୁକୁର ସହିତ ଅନ୍ୟ ଗୃହପାଳିତ ପ୍ରାଣୀ ଥିବାବେଳେ ସେମାନଙ୍କ ଚିକିତ୍ସା ହୋଇପାରୁ ନାହିଁ। କିଛିଦିନ ହେବ ଏହି ଅଞ୍ଚଳର ଗୋରୁଙ୍କ ଠାରେ ଫାଟୁଆ ରୋଗ ବ୍ୟାପୁଥିବା ବେଳେ ବହୁସଂଖ୍ୟାରେ ଗାଈ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଅନେକ ସମୟରେ ପ୍ରାଣୀଧନ ପାଳକମାନେ ରୋଗଗ୍ରସ୍ତ ପ୍ରାଣୀଧନଙ୍କୁ ଧରି ୭ କି.ମି. ଦୂର ହଣ୍ଡପା ପ୍ରାଣୀଧନ ଚିକିତ୍ସାଳୟକୁ ଯାଉଛନ୍ତି। ସେହିପରି ଏହି କେନ୍ଦ୍ରରେ ନିଯୁକ୍ତ ହୋଇଥିବା ଡାକ୍ତର ଅବସର ନେଇସାରିଥିବାରୁ ତାଙ୍କ ସ୍ଥାନରେ ଆଉ ନୂତନ ଡାକ୍ତର ନିଯୁକ୍ତ କରାଯାଇନାହଁି। ଫଳରେ ଆବଶ୍ୟକବେଳେ ଗୋପାଳକମାନେ ଘରୋଇ ପ୍ରାଣୀଧନ ଚିକିତ୍ସକଙ୍କ ସହାୟତ ନେଇ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ବଇଣ୍ଡାଠାରେ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ ପାଇଁ ପୂର୍ବରୁ ୧୮ ଫେବୃଆରୀ ୨୦୧୯, ୧୫ ସେପ୍ଟେମ୍ବର ୨୦୨୧, ୧୨ ମାର୍ଚ୍ଚ ୨୦୨୨ରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ପ୍ରାଣୀଧନ ଡାକ୍ତରଖାନା ନିର୍ମାଣ ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଜମି ଚିହ୍ନଟ କରି ନୂତନ ପ୍ରାଣୀଧନ ଡାକ୍ତରଖାନା ନିର୍ମାଣ କରିବାକୁ ଗ୍ରାମର ବରିଷ୍ଠ ନାଗରିକ ଭଗବାନ ଘିୱାଲା, ପରିକ୍ଷିତ ସାହୁ, ଆଲୋକ ବେହେରା, ରାଜେନ୍ଦ୍ର ସାହୁ, ଯାଦବ ପ୍ରଧାନ, ସତ୍ୟ ରାଉତ, ଦୀପକ ବେହେରା, ରବୀନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଉପଖଣ୍ଡ ପ୍ରାଣୀଧନ ଚିକତ୍ସା ଅଧିକାରୀ ନୀଳାଚଳ ସେନାପତି କହିଛନ୍ତି, ବଇଣ୍ଡାରେ ଜମି ଚିହ୍ନଟ ହୋଇପାରୁ ନ ଥିବାରୁ ପ୍ରାଣୀଧନ ଚିକିତ୍ସାଳୟ ନିର୍ମାଣ କରାଯାଇ ନାହିଁ।