ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇବା ଉଦ୍ୟମ

ପୁରୁଷୋତ୍ତମପୁର,୧୧ା୧୧ (ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ ଜିନୂଆପଲ୍ଲୀ ଗ୍ରାମରେ ବୁଧବାର ରାତିରେ ଗୁଣି ଗାରେଡି ସନ୍ଦେହର ଜଣଙ୍କ ଘରେ ପଶି କେତେଜଣ ଲୋକ ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିିବା ସହ ତାଙ୍କ ଦାନ୍ତଭାଙ୍ଗି ଅଖାଦ୍ୟ ଖୁଆଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେମାନଙ୍କ କବଳରୁ ସ୍ବାମୀ ସ୍ତ୍ରୀ ଖସିଆସି ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ରାତାରାତି ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରିବା ସହ ଆକ୍ରମଣକାରୀଙ୍କୁ ଥାନାକୁ ଆଣିଥିଲେ। ଗୁରବାର ସକାଳୁ ପୁଣି ପୋଲିସ ଘଟଣାସ୍ଥଳକୁ ଯାଇ ଜନସାଧାରଣଙ୍କୁ ସଚେତନ କରି ଥାନାକୁ ଡକାଇ ବୁଝାଶୁଝା କରି ଏଭଳି ଅନ୍ଧବିଶ୍ୱାସରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥିଲେ।
ଆଇଆଇସି ଛୋଟରାୟ କହିଛନ୍ତି, ନଂ ୬୭୪/୨୨ରେ ମାମଲା ରୁଜୁ ହୋଇଛି। ରାଜୁ ଦାସ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି, ସେ ଓ ତାଙ୍କ ସ୍ତ୍ରୀ ବନିତା ଗ୍ରାମ କୋଠିଶାଳ ଠାକୁରାଣୀଙ୍କ ପୂଜା କରନ୍ତି। ଏହି ଠାକୁରାଣୀଙ୍କ କୁମ୍ଭଯାତ୍ରା ଚାଲିଥିବା ବେଳେ ସେହି ଗ୍ରାମର ବଜାରି ଦାସଙ୍କ ସ୍ତ୍ରୀ ମମତାଙ୍କୁ ଠାକୁରାଣୀ ଲାଗିଥିଲେ। ମୁଁ ଓ ମୋ ସ୍ତ୍ରୀ ଗୁଣିଗାରେଡି କରିଥିବା ସନ୍ଦେହକରି ବଜାରି, ତାଙ୍କ ଭାଇ ହଜାରି ଓ ମୁନା ଦାସ ସଂଘବଦ୍ଧ ଭାବେ ଆମ ଘରେ ପଶି ଆମକୁ ଆକ୍ରମଣ କରିଥିଲେ। ଏହା ସହ ଆମ ଦାନ୍ତଭାଙ୍ଗି ଅଖାଦ୍ୟ ଖୁଆଇବାକୁ ଉଦ୍ୟମ କରିଥିଲେ।
ଏହି ଅଭିଯୋଗରେ ୩ଭାଇଙ୍କୁ ଅଟକ ରଖାଯାଇ ଗ୍ରାମରେ ଶାନ୍ତି ବଜାୟ ରଖିବାକୁ ସରପଞ୍ଚ, ଭଦ୍ରଲୋକଙ୍କୁ ନେଇ ଆଲୋଚନା କରାଯାଇଥିବା ବେଳେ ଏହାର ତଦନ୍ତ ଲାଗି ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ରଙ୍କୁ କୁହାଯାଇଥିବା ଆଇଆଇସି ଛୋଟରାୟ କହିଛନ୍ତି। ମାତ୍ର ଏଥିନେଇ ଆକ୍ରମଣକାରୀମାନେ କହିଛନ୍ତି, ରାଜୁ ନିଶା ସେବନ କରୁଥିବାରୁ ତାଙ୍କୁ ତାଗିଦ କରିବାରୁ ସେ ଏଭଳି ମିଥ୍ୟା ଅଭିଯୋଗ କରିଥିବା କହିଛନ୍ତି।