ସତ ଓକାଳିଲେ ସର୍ବେଶ୍ୱର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ୨ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଜେରା କରିଛି। ଜେରାବେଳେ ସର୍ବେଶ୍ୱର ସତ ଓକାଳିଛନ୍ତି। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସହ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା କାରବାର ନେଇ ଅନେକ ଗୋପନ ତଥ୍ୟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି। ନିଯୁକ୍ତି ନେଇ ପ୍ରାର୍ଥୀ ପିଛା କେତେ ଟଙ୍କା ଆଦାୟ କରାଯାଉଥିଲା, ଏଥିରେ କେଉଁ ଏଜେଣ୍ଟ ସହଯୋଗ କରୁଥିଲେ ଓ ବେଆଇନ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଥ୍ୟ ପାଇଛି। ଠକେଇ ସଂକ୍ରାନ୍ତ ତଥ୍ୟ ଓ ପ୍ରମାଣ ହସ୍ତଗତ ହେବା ପରେ ସମ୍ପୃକ୍ତ ଏଜେଣ୍ଟମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟାଟାରେ ଚାକିରି କରାଇଦେବା ନେଇ ଆକାଶ ଓ ପ୍ରଦୀପଙ୍କ ମଧ୍ୟସ୍ଥ ସାଜିଥିଲେ ସର୍ବେଶ୍ବର। ଏହାର ସୁରାକ ଉଭୟ ଆକାଶ ଓ ପ୍ରଦୀପଙ୍କଠୁ ପଚରାଉଚରା ବେଳେ ମିଳିଥିଲା। ଉକ୍ତ ସୂଚନା ଆଧାରରେ ପ୍ରମାଣ ଯୋଗାଡ ପରେ ଗତ ୧୭ରେ କ୍ରାଇମବ୍ରାଞ୍ଚ ଟିମ୍‌ ସର୍ବେଶ୍ୱରଙ୍କୁ ଗିରଫ କରିଥିଲା। ସୋମବାରଠାରୁ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ପରେ ବୁଧବାର କୋର୍ଟ ଚାଲାଣ କରାଯିବ। ପ୍ରକାଶ ଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ, ଟାଟା କମ୍ପାନୀ ନାଁରେ ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ତାଙ୍କ ପୁଅ ଆକାଶ ଏବଂ ଏସବୁ ଲିଙ୍କ୍‌ ରେ ପ୍ରଦୀପ ଗିରଫ ହୋଇଥିଲେ। ଏହାପରେ ଠକେଇ ଓ ପ୍ରଦୀପଙ୍କ ଲିଙ୍କ୍‌ରେ ସର୍ବେଶ୍ୱରଙ୍କୁ କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମପୁରରୁ ଗିରଫ କରିଥିଲା। ସେହିଭଳି ଆକାଶଙ୍କ ବ୍ୟକ୍ତିଗତ ସହାୟକ ପିଟର ଡେଭିଡ୍‌ଙ୍କୁ ମଧ୍ୟ ପୁଣେରୁ ଆଣି ପଚରାଉଚରା ବେଳେ ସର୍ବେଶ୍ୱରଙ୍କ ସମ୍ପର୍କରେ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା।