ଟ୍ରସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରାଇଥିଲେ ପୁଟିନ୍‌…

ଲଣ୍ଡନ/ମସ୍କୋ,୩୦।୧୦: ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା ଏବଂ ବ୍ରିଟେନ ପରି ଦେଶର ପରବର୍ତ୍ତୀ ପଦକ୍ଷେପ ଉପରେ ରୁଷିଆର ତୀକ୍ଷ୍‌ଣ ନଜର ରଖିଛି। ଏଭଳି ପରିସ୍ଥିତିରେ ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ନାଟୋ ଦେଶର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ। ବର୍ତ୍ତମାନ ଏହା ଜଣାପଡିଛି ଯେ ବ୍ରିଟେନର ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ଙ୍କ ବ୍ୟକ୍ତିଗତ ମୋବାଇଲଫୋନକୁ ପୁଟିନନ୍‌ ହ୍ୟାକ କରାଇଛନ୍ତି।

ଡେଲି ମେଲ ରିପୋର୍ଟ ଅନୁଯାୟୀ,ପୁଟିନ୍‌ଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସନ୍ଦିଗ୍ଧ ଏଜେଣ୍ଟ ଲିଜ ଟ୍ରସ୍‌ଙ୍କ ଫୋନକୁ ହ୍ୟାକ କରିଥିଲେ। ଟ୍ରସ୍‌ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା।

ରିପୋର୍ଟ ଅନୁଯାୟୀ, ଟ୍ରସ୍‌ଙ୍କ ଫୋନ ହ୍ୟାକ ହେବା ପରେ ଅନେକ ଗୁପ୍ତ ତଥ୍ୟ ଲିକ ହୋଇଥିଲା। ଏଥିରେ ଟ୍ରସ୍‌ଙ୍କର ଘନିଷ୍ଠ ବନ୍ଧୁ କ୍ୱାସି କ୍ୱାର୍ଟେଙ୍ଗଙ୍କ ସହିତ ତାଙ୍କର ବ୍ୟକ୍ତିଗତ ବାର୍ତ୍ତା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ପରେ କ୍ୱାର୍ଟେଙ୍ଗ ବ୍ରିଟେନର ଅର୍ଥମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଟ୍ରସ୍‌ ଏବଂ ଅନ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ଲିକ୍‌ ହୋଇଛି। ଏଥିରେ, ୟୁକ୍ରେନକୁ ପଠାଯିବାକୁ ଥିବା ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଥିଲା।

ଟ୍ରସ୍‌ଙ୍କ ଫୋନ ହ୍ୟାକ ହୋଇଥିବା ଘଟଣା ଦୁଇ ମାସ ତଳେ ଜଣାପଡିଥିଲା। ପ୍ରଧାନମନ୍ତ୍ରୀ ହେବା ପାଇଁ ଟ୍ରସ୍‌ ସେତେବେଳେ ଚାଲିଥିବା ନେତୃତ୍ୱ ଅଭିଯାନର ଏକ ଅଂଶ ଥିଲେ। ପରେ ସେ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇଥିଲେ, ଯଦିଓ ତାଙ୍କୁ ଏକ ମାସ ପରେ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ଏକ ବର୍ଷ ଧରି ଟ୍ରସ୍‌ଙ୍କ ମୋବାଇଲରୁ ମେସେଜ ଡାଉନଲୋଡ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ବ୍ରିଟିଶ ସରକାର ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ସରକାରୀ ମୁଖପାତ୍ର କହିଛନ୍ତି ଯେ ସାଇବର ବିପଦରୁ ସୁରକ୍ଷା କରିବା ପାଇଁ ସେମାନଙ୍କ ପାଖରେ ଏକ ଦୃଢ଼ ବ୍ୟବସ୍ଥା ଅଛି।

Share