ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ କିଛି ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ଫିସ୍‌ ଆଣ୍ଡ ଓ୍ବାଇଲ୍ଡଲାଇଫ୍‌ ସର୍ଭିସ ମାମଲାର ଯାଞ୍ଚ ଆରମ୍ଭ କରିଛି। ଜୀବଟି ଦୁର୍ଲଭ ପ୍ରଜାତିର ହୋଇଥିବା ଜଣାପଡ଼ିଛି।

ଭାଇରାଲ ହେଉଥିବା ଭିଡିଓରେ ଏକ ସମୁଦ୍ର ଗାଈକୁ ଦେଖିବାକୁ ମିଳୁଛି। ଏମାନେ ବିଶେଷତଃ ଶାକାହାରୀ ହୋଇଥାନ୍ତି। ବିଶାଳ ଶରୀର ଏବଂ ଶାନ୍ତ ସ୍ବଭାବର ଏହି ଜୀବଟି ଭିଡିଓରେ ଧିରେ ଧିରେ ବିଚରଣ କରୁଥିବା ଦେଖାଯାଉଛି। ତାର ପିଠିରେ ବଡ଼ ବଡ଼ ଅକ୍ଷରରେ ଟ୍ରମ୍ପ ଲେଖାଯାଇଛି। ହେଲେ ତାହା କେଉଁଭଳି ଭାବେ ଲେଖାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଭିଡିଓଟି ବିଷୟରେ ସବିଶେଷ ତଥ୍ୟ ଦେବା ଲୋକକୁ ୫ହଜାର ଡଲାର ଅର୍ଥାତ ପାଖାପାଖି ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି। ଅପରପକ୍ଷେ ଅନେକ ବ୍ୟବହାରକାରୀ ଏବେ ଏହି ଭିଡିଓଟିକୁ ଶେୟାର କରି ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି।

ପ୍ରକାଶ ଯେ, ସମୁଦ୍ରଜୀବଟି ଦୁର୍ଲଭ ପ୍ରଜାତିର ହୋଇଥିବା ହେତୁ ଆମେରିକା ସରକାର ଏହାର ସୁରକ୍ଷା ପାଇଁ କାମ କରୁଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଉତ୍ତର କୈରୋଲିନାରେ ଏକ ଭାଲୁର ଦେହରେ ଟ୍ରମ୍ପଙ୍କ ଷ୍ଟିକର ମରାଯାଇଥିଲା। ଏଭଳି କାର୍ଯ୍ୟକୁ ବିଶେଷଜ୍ଞମାନେ କଡ଼ା ଭାଷାରେ ନିନ୍ଦା କରିଥିଲେ।

Share