ଓ୍ବାଶିଂଟନ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ତୁର୍କୀ ଶହ ଶହ ଡ୍ରୋନ ଏବଂ ମିଶାଇଲ୍ ପଠାଇ ପାକିସ୍ତାନକୁ ବୈଷୟିକ ଏବଂ ରଣନୈତିକ ସହାୟତା ଯୋଗାଇଥିଲା। ଫଳରେ ଭାରତ ବାଣିଜ୍ୟ ଠାରୁ ପର୍ଯ୍ୟଟନ ପର୍ଯ୍ୟନ୍ତ ତୁର୍କୀଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛି। କିନ୍ତୁ ଏହି ସମୟ ମଧ୍ୟରେ, ଆମେରିକା ତୁର୍କୀକୁ ମିଶାଇଲ୍ ବିକ୍ରୟ କରିବା ପାଇଁ ନେଇଥିବା ନିଷ୍ପତ୍ତି ଭାରତରେ ଏକ ନୂତନ ବିତର୍କକୁ ଜନ୍ମ ଦେଇଛି।
ଆମେରିକା ତୁର୍କୀକୁ ୩୦୪ ନିୟୁତ ଡଲାର ମୂଲ୍ୟର ମିଶାଇଲ୍ ବିକ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଅନୁମୋଦନ ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି ଏବଂ ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସାହାଯ୍ୟ କରୁଛି। ମିଶାଇଲ୍ ଚୁକ୍ତିରେ ତୁର୍କୀ ପାଇଁ ଆକାଶରୁ ଆକାଶରେ ନିକ୍ଷେପ ହେଉଥିବା AIM-120 AMRAAM ମିଶାଇଲ୍ ସାମିଳ ଅଛି। ଏହା ସହିତ, ତୁର୍କୀ ୨୨୫ ନିୟୁତ ଡଲାର ମୂଲ୍ୟରେ ୫୩ଟି ଉନ୍ନତ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ୭୯.୧ ନିୟୁତ ଡଲାର ମୂଲ୍ୟରେ ୬୦ଟି ବ୍ଲକ ସେକେଣ୍ଡ ମିଶାଇଲ୍ ଦାବି କରିଛି। ଏହି ଚୁକ୍ତିକୁ ଆମେରିକୀୟ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA) ଦ୍ୱାରା ପ୍ରସ୍ତାବିତ କରାଯାଇଛି, କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ଆମେରିକୀୟ କଂଗ୍ରେସ ଅନୁମୋଦନ ମିଳିନାହିଁ। ଯଦି ଏହା ଅନୁମୋଦନ ହୁଏ, ତେବେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବ।
ଏହି ପଦକ୍ଷେପକୁ ଆମେରିକା ଏବଂ ତୁର୍କୀ ମଧ୍ୟରେ ନାଟୋ ସହଯୋଗକୁ ସୁଦୃଢ଼ କରିବା ଭାବରେ ଦେଖାଯାଉଛି। ତୁର୍କୀ ନାଟୋର ଏକ ପ୍ରମୁଖ ସଦସ୍ୟ ଏବଂ ଆମେରିକାର ରଣନୈତିକ ସାମରିକ ଅଂଶୀଦାରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, କିନ୍ତୁ ଭାରତରେ ଏହି ପ୍ରଶ୍ନ ଉଠାଯାଉଛି ଯେ ଯେତେବେଳେ ତୁର୍କୀ ଭାରତର ଶତ୍ରୁ ପାକିସ୍ତାନକୁ ସାମରିକ ସହାୟତା ଦେଉଛି, ତେବେ ଆମେରିକା ଦ୍ୱାରା ତାକୁ କ୍ଷେପଣାସ୍ତ୍ର ବିକ୍ରୟ କରିବା କ’ଣ ଭାରତ ବିରୁଦ୍ଧରେ ଏକ ପ୍ରକାରର ଡବଲ ଗେମ ନୁହେଁ?
ସମ୍ପ୍ରତି ତୁର୍କୀ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଯୋଗାଇଛି। ଏହି ଡ୍ରୋନଗୁଡ଼ିକୁ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସୀମାପାର ନଜର ରଖିବା ପାଇଁ ବ୍ୟବହାର କରାଯାଉଥିଲା। କେବଳ ଏତିକି ନୁହେଁ, ଭାରତ ବିରୋଧରେ ଦିଆଯାଇଥିବା ବୟାନରେ ତୁର୍କୀ ମଧ୍ୟ ପାକିସ୍ତାନକୁ ସମର୍ଥନ କରିଛି। ଆମେରିକାର ଏହି ପଦକ୍ଷେପ ଏହାର ଦୋମୁଁହା ନୀତିକୁ ପ୍ରକାଶ କରୁଛି।


