ନୂଆଦିଲ୍ଲୀ,୧୧।୬:ଲଗାତର ଅଧିକ ଦିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ରେକର୍ଡକୁ ବୁଧବାର ଜୁନ୍ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିକ୍ରମ କରିଛନ୍ତି।
୨୦୧୪ ମେ’ ୨୬ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ବୁଧବାର ତାଙ୍କର କାର୍ଯ୍ୟକାଳ ୪,୩୯୯ ଦିନ ପୂରଣ ହୋଇଛି। ଏଥିପାଇଁ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ବିଭିନ୍ନ ଦେଶର ରାଜନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇନ୍ତି। ଅଭିନନ୍ଦନ ଜଣାଇଥିବା ଅନ୍ୟ ନେତାଙ୍କ ମଧ୍ୟରେ ଅଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ୍, ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ୍, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟବ୍ଗେ, ଶ୍ରୀଲଙ୍କା ରାଷ୍ଟ୍ରପତି ଅରୁରା କୁମାରା ଦିସାନାୟକେ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଅନ୍ୟମାନେ। ଆମେରିକାର ବହୁ ରାଜନେତା ଏବଂ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ରେକର୍ଡ ସ୍ଥାପନ କରିବା ପାଇଁ ଅଭିନନ୍ଦନ ଜଣାଇବା ଏବଂ ତାଙ୍କ ପ୍ରଶଂସା କରିଥିଲେ। ମୋଦି ମଧ୍ୟ ଧନ୍ୟବାଦ ଜଣାଇ କହିଥିଲେ, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି।
ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଭାରତର ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ସେ ଜଣେ ପ୍ରଭାବଶାଳୀ ନେତା। ମୋଦି ଜଣେ ଶକ୍ତିଶାଳୀ, ସକ୍ଷମ ଏବଂ ଜ୍ଞାନୀ ନେତା ଏବଂ ତାଙ୍କ ନେତୃତ୍ୱରେ ଆଗାମୀ ବର୍ଷଗୁଡ଼ିକରେ ଅନେକ ବଡ଼ ସଫଳତା ହାସଲ ହେବ।
ଏହି ମେସେଜ୍ର ଜବାବରେ ମୋଦି ‘X’ରେ କହିଛନ୍ତି,ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆମର ରାଷ୍ଟ୍ର ଏବଂ ସମଗ୍ର ବିଶ୍ୱର ଲାଭ ପାଇଁ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି।
ନରେନ୍ଦ୍ର ମୋଦି ୪,୩୯୯ ଦିନର ନିରନ୍ତର କାର୍ଯ୍ୟକାଳ ପୂରଣ କରି ଭାରତର ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ସ୍ଥାପନ କରିଛନ୍ତି। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ରଖାଯାଇଥିବା ୪,୩୯୮ ଦିନର ରେକର୍ଡକୁ ଅତିକ୍ରମ କରିଛନ୍ତି।