ଓ୍ବାଶିଂଟନ୍,୩ା୩: ଇରାନ-ଆମେରିକା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନର ବହୁ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ୧୩୧ ସହର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୫୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଶହ ଲୋକ ଆହତ ହୋଇଛନ୍ତି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ସମେତ ସାମରିକ ଓ କ୍ଷମତାଶୀଳ ୪୮ ନେତାଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି। ଏହାସତ୍ତ୍ୱେ ଯୁଦ୍ଧ ବିରତିର ପ୍ରଶ୍ନ ଉଠୁନାହିଁ। ବରଂ ଆଗକୁ ଆକ୍ରମଣ ଆହୁରି ଜୋର୍ଦାର କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୃଢୋକ୍ତି କରିଛନ୍ତି। ଏପରିକି କିଛି ସପ୍ତାହ ନୁହେଁ, ଦୀର୍ଘସୂତ୍ରୀ ଯୁଦ୍ଧ ପାଇଁ ଆମେରିକା ପ୍ରସ୍ତୁତ ବୋଲି ଟ୍ରମ୍ପ୍ କହିଛନ୍ତି। ଇରାନ ଅଭିଯାନ ସମ୍ପର୍କରେ ଟ୍ରମ୍ପ୍ ସ୍ପଷ୍ଟ କରି କହିଛନ୍ତି, ଇରାନ ଅନେକ ବର୍ଷ ଧରି ଆମେରିକୀୟଙ୍କୁ ଟାର୍ଗେଟ କରିଆସିଛି। କିନ୍ତୁ ଏବେ ଆଉ ସମୟ ନାହିଁ। ଇରାନକୁ କଦାଚିତ ଆଣବିକ ଅସ୍ତ୍ର କ୍ଷମତାସମ୍ପନ୍ନ ହେବାକୁ ଦିଆଯିବ ନାହିଁ। ତାହାର ସବୁ କ୍ଷେପଣାସ୍ତ୍ର ମଧ୍ୟ ଧ୍ୱଂସ କରିଦିଆଯିବ ବୋଲି ଟ୍ରମ୍ପ୍ କହିଛନ୍ତି।

