ଓ୍ବାଶିଂଟନ୍,୨୯ା୫:ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ତୁଟି ନ ଥିବାବେଳେ ଏବେ ଓମାନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ହର୍ମୁଜ୍କୁ ସ୍ବାଭାବିକ କରିବା ପ୍ରକ୍ରିୟାରେ ଓମାନ ମୁଣ୍ଡ ପୂରାଇଥିବାରୁ ଏହାକୁ ଉଡ଼ାଇ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରି ଜାହାଜ ଚଳାଚଳକୁ ସ୍ବାଭାବିକ କରିବାକୁ ଆମେରିକା ଇରାନ ଉପରେ ଚାପ ପକାଇ ଆସୁଥିଲାବେଳେ ଏହି ବାଟ ଦେଇ ଯାତାୟାତ କରୁଥିବା ତୈଳବାହୀ ଜାହାଜଗୁଡିକରୁ ଇରାନ ଶୁଳ୍କ ଆଦାୟ କରିବ ବୋଲି ଜିଦ୍ ଧରିଛି। କିନ୍ତୁ ଏହା ଭିତରେ ଓମାନ ମଧ୍ୟ ଇରାନ ସହ ମିଶି ଶୁଳ୍କ ଆଦାୟ କରିବାକୁ ଅଣ୍ଟା ଭିଡିଛି। ଏହି ବିଷୟ ସାମ୍ନାକୁ ଆସିବାପରେ ଟ୍ରମ୍ପ୍ କ୍ଷୁବ୍ଧ ହେବା ସହିତ ଆମେରିକାର ଏକ ସହଯୋଗୀ ରାଷ୍ଟ୍ର ଭାବେ ଓମାନ ଉପରେ ବୋମା ପକାଇ ଧ୍ୱଂସ କରିଦେବାକୁ ଧମକ ଦେଇଛନ୍ତି। ହ୍ବାଇଟ୍ ହାଉସ୍ଠାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଟ୍ରମ୍ପ୍ କହିଛନ୍ତି, ଓମାନ ଆମେରିକା ସହ ଯେଭଳି ବ୍ୟବହାର କରିବା କଥା ସେଭଳି କରୁ। ନଚେତ୍ ଆମେ ଓମାନକୁ ଉଡ଼ାଇଦେବୁ। ହର୍ମୁଜ୍ ଉପରେ କାହାର ଆଧିପତ୍ୟ ବିସ୍ତାରକୁ ଆମେରିକା ସ୍ବୀକୃତି ଦେବ ନାହିଁ। ଏହାପୂର୍ବ ଭଳି ସମସ୍ତଙ୍କ ପାଇଁ ସ୍ବାଭାବିକ ରହିବ। ଆମେରିକା ହର୍ମୁଜ ଉପରେ ନଜର ରଖିଛି ଏବଂ ଏହାର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ହର୍ମୁଜ୍ ଉପରେ ସବୁ ଦେଶର ଯେଭଳି ଅଧିକାର ରହିଛି, ଓମାନର ମଧ୍ୟ ସେତିକି ଅଧିକାର ରହିଛି। କିନ୍ତୁ ଏହା ଉପରେ କୌଣସି ଦେଶ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କଲେ ଆମେରିକା ତାହା ବରଦାସ୍ତ କରିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।