କୋର୍ଟରେ ଟ୍ରମ୍ପ୍‌ଙ୍କ ଆତ୍ମସମର୍ପଣ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ୨୦୨୪ ପାଇଁ ରିପବ୍ଲିକାନ୍‌ ନୋମିନେଶନ୍‌ ଦୌଡ଼ରେ ସବା ଆଗରେ ଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କୁ ହଶ୍‌ ମନି (ଅପକର୍ମ ଲୁଚାଇବା ପାଇଁ ଅର୍ଥ) ଦେବା ଘଟଣାରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଆପରାଧିକ ମାମଲା ଆରମ୍ଭ ହୋଇଛି। ୭୬ ବର୍ଷୀୟ ଟ୍ରମ୍ପ୍‌ ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟହାଉସ୍‌ରେ ଆମତ୍ସମର୍ପଣ କରିଛନ୍ତି। କୌଣସି ଆପରାଧିକ ମାମଲାର ସମ୍ମୁଖୀନ ହେବାରେ ଟ୍ରମ୍ପ୍‌ ହେଉଛନ୍ତି ଆମେରିକା ଇତିହାସରେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ଟ୍ରମ୍ପ୍‌ ସୋମବାର ନିଜ ଫ୍ଲୋରିଡା ବାସଭବନରୁ ବାହାରି ପାମ୍‌ ବିଚ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ପହଞ୍ଚତ୍ଥିଲେ।

ସେଠାରୁ ସେ ବୋଇଂ ୭୫୭ ବିମାନରେ ନ୍ୟୁୟର୍କ ଯାଇଥିଲେ। ପ୍ରସ୍ତୁତି ମୁତାବକ ପୂର୍ବତନ ରାଷ୍ଟ୍ରପତି ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୨ଟା ୧୫ ମିନିଟ୍‌ (ଭାରତୀୟ ସମୟ ରାତି ୧୧ଟା ୪୫ରେ) କଡ଼ା ସୁରକ୍ଷା ବଳୟ ମଧ୍ୟରେ ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟରେ ହାଜର ହୋଇ ଆମତ୍ସମର୍ପଣ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁଣାଣିବେଳେ ମାନ୍‌ହାଟ୍ଟନ୍‌ କୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଏପରି କି ଟିଭି କ୍ୟାମେରାଗୁଡ଼ିକୁ ମଧ୍ୟ ପ୍ରବେଶ ଅନୁମତି ମିଳି ନ ଥିଲା। ଅନେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବିଚାରର ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟରେ ନିବେଦନ କରାଯାଇଥିଲା, ଯାହାକୁ ଜଜ୍‌ ଜୁଆନ୍‌ ମର୍ଚାନ୍‌ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କେବଳ ୫ ଜଣ ଫଟୋଗ୍ରାଫରଙ୍କୁ ଶୁଣାଣି ପୂର୍ବ ବେଳର ଫଟୋ ନେବାକୁ ଅନୁମତି ଦିଆଯାଇଥିଲା। ମାମଲାକୁ ନେଇ ସର୍କସ ଭଳି ପରିବେଶ ସୃଷ୍ଟି କରା ନ ଯାଉ ବୋଲି ଟ୍ରମ୍ପ୍‌ଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଟ୍ରମ୍ପ୍‌ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଜେଲ ଓ ଜରିମାନା ହୋଇପାରେ। ଆମେରିକା ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ରେକର୍ଡ ସ୍ବଚ୍ଛ ହୋଇଥିବା ଜରୁରୀ ନୁହେଁ।

ଆମେରିକାର ଆଇନ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଟ୍ରମ୍ପ୍‌ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତା ବାହାରେ ଥିବାରୁ ତାଙ୍କୁ ଏହି ଆଇନଗତ ସୁରକ୍ଷା ମିଳିବ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ୨ ଥର ମହାଭିଯୋଗରୁ ବର୍ତ୍ତିଯାଇଥିବା ୭୬ ବର୍ଷୀୟ ଟ୍ରମ୍ପ୍‌ଙ୍କ ରାଜନୈତିକ ଯାତ୍ରାରେ ଏହି ମାମଲା ପ୍ରତିବନ୍ଧକ ସାଜିପାରେ। ଆପରାଧିକ ମାମଲା ସତ୍ତ୍ୱେ ଟ୍ରମ୍ପ୍‌ ରାଷ୍ଟ୍ରପତି ଦୌଡ଼ରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଓଲଟା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଏହା ତାଙ୍କୁ ସହାୟକ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି।

Share