ଟ୍ରମ୍ପଙ୍କ ଜିଦ୍‌କୁ ନେଇ ବ୍ୟସ୍ତ ହୋଇ ପଡିଲେଣି ମେଲାନିଆ!

ୱାଶିଂଟନ,୧୦ ।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ତାଙ୍କ ପଦ ଛାଡିବାକୁ ରାଜି ନ ଥିବା ବେଳେ ହାର ମାନିବାକୁ ବି ରାଜି ନାହାନ୍ତି । ହେଲେ ଟ୍ରମ୍ପଙ୍କ ଏଭଳି ମନୋଭାବ ଏବେ ସହଧର୍ମିଣୀ ମେଲାନିଆ ଟ୍ରମ୍ପଙ୍କୁ ବ୍ୟତିବ୍ୟସ୍ତ କରିପକାଇଲାଣି । ପ୍ରଥମରୁ ସେ ନିର୍ବାଚନରେ ବିଜୟୀ ହୋଇଥିବା କହି ଆସୁଥିବା ବେଳେ ଏବେ କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସହଯୋଗ କରୁ ନ ଥିବା ଦେଖାଯାଇଛି । ପ୍ରଥମେ ଜ୍ୱାଇଁ ଜେରାଡ କୁଶନର ଟ୍ରମ୍ପଙ୍କ ବିଜୟକୁ ବିରୋଧ କରୁଥିବା ବେଳେ ଏବେ ମେଲାନିଆ ବି ଟ୍ରମ୍ପଙ୍କ ଉପରେ ଏକ ପ୍ରକାର ଅସନ୍ତୁଷ୍ଟ ହୋଇଥିବା ଜଣାପଡିଛି । ଶୁଣିବାକୁ ମିଳିଛି କି ମେଲାନିଆ ଟ୍ରମ୍ପ ଏବେ ହ୍ୱାଇଟ ହାଉସ ଛାଡି ଫ୍ଲୋରିଡାରେ ଥିବା ଘରକୁ ସିପ୍ଟ ହେବାକୁ ପ୍ରସ୍ତୁତ ହେଲେଣି । ସୂଚନାଯୋଗ୍ୟ, ଗତ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ହୋଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି ଟ୍ରମ୍ପ । ଅବଶ୍ୟ କିଛିଦିନ ପୂର୍ବେ ସେ ଶାସନ କ୍ଷମତା ହସ୍ତାନ୍ତର କରିବା କଥା ଘୋଷଣା କରିଥିଲେ । ହେଲେ ଏବେବି ସେ କହୁଛନ୍ତି ୨୦ ଜାନୁୟାରୀ ପରେ ବି ସେ ଆମେରିକାର ରାଷ୍ଟ୍ରପତି ଆସନରେ ରହିବେ । କିନ୍ତୁ ଏହାକୁ ଗ୍ରହଣ ନ କରିପାରି ଏବେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ହ୍ୱାଇଟ ହାଉସ ଛାଡିବାକୁ ପ୍ରସ୍ତୁତ ହେଲେଣି ।

Share